ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ‘ସାଲିସ କରିଥିବା ପ୍ରଧାନମନ୍ତ୍ରୀ’ (Compromised PM) ମନ୍ତବ୍ୟର ଜବାବରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସକୁ ୪ଟି ପ୍ରଶ୍ନ ପଚାରିଛନ୍ତି। ଏଥିରେ ସେ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସମୟରେ ଚୀନ୍ ଦ୍ୱାରା ତାଙ୍କ ଗାଁ ଦଖଲ ହେବା କଥା ଉଠାଇ କଂଗ୍ରେସର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
ଚୀନ୍ରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେସନ୍ (APEC) ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଏକ ଫଟୋ ସେୟାର କରି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ‘X’ ରେ ଲେଖିଥିଲେ ଯେ, ଯଦି କଂଗ୍ରେସ କ୍ଷମତାରେ ଥାଆନ୍ତା, ତେବେ ଭାରତର ପ୍ରଧାନମନ୍ତ୍ରୀ ଏହି ଟେବୁଲରେ ବସିଥାଆନ୍ତେ, କିନ୍ତୁ ଜଣେ “ସାଲିସ କରିଥିବା ପ୍ରଧାନମନ୍ତ୍ରୀ” କେବେ ବି ସେଠାରେ ବସିପାରିବେ ନାହିଁ।
ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅରୁଣାଚଳ ପ୍ରଦେଶର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ‘X’ ରେ କଂଗ୍ରେସକୁ ଜବାବ ଦେଇଛନ୍ତି। ଏହାସହ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ସେ ପ୍ରଶ୍ନ କରିଛନ୍ତି, “୧୯୬୨ରେ ମୋ ଗାଁକୁ ଚୀନ୍ ଦଖଲ କରିନେଇଥିଲା। ୧୯୬୨ର ଏହି ଅପମାନ ପାଇଁ କଂଗ୍ରେସ କ୍ଷମା ମାଗିବ କି?” ତାଙ୍କର ଦ୍ବିତୀୟ ପ୍ରଶ୍ନ ଥିଲା- “କଂଗ୍ରେସ ଭାରତକୁ ଏକ ଗରିବ ଦେଶ କରି ରଖିଥିଲା। କାହିଁକି?” ତୃତୀୟ ପ୍ରଶ୍ନ ଥିଲା- “ଭାରତକୁ କାହିଁକି ‘ସାପୁଆ କେଳାଙ୍କ ଦେଶ’ (Land of snake charmers) ବୋଲି କୁହାଯାଉଥିଲା?” ଆଉ ଚତୁର୍ଥ ପ୍ରଶ୍ନ ଥିଲା, “ଭାରତର ଅର୍ଥନୀତିକୁ କାହିଁକି ‘ହିନ୍ଦୁ ଅଭିବୃଦ୍ଧି ହାର’ (Hindu rate of growth) କହି ଅପମାନିତ କରାଯାଉଥିଲା?”
ଏହା ପୂର୍ବରୁ ମଧ୍ୟ ଆମେରିକାର ଚିକାଗୋ ବିଶ୍ୱବିଦ୍ୟାଳୟରେ ଭାରତକୁ ଅନ୍ତର୍ଜାତୀୟ ସ୍ତରରେ ଜଣେ “ସାଇଡ୍ ପ୍ଲେୟାର” (side player) ବୋଲି ରାହୁଲ ଗାନ୍ଧୀ କହିଥିବାରୁ ରିଜିଜୁ ତାଙ୍କୁ ଦେଶ କିମ୍ବା ବିଦେଶରେ ଭାରତ ବିରୋଧୀ ମନ୍ତବ୍ୟ ନଦେବାକୁ ପରାମର୍ଶ ଦେଇଥିଲେ।
