Latest Odisha News

BREAKING NEWS

ବଢୁଛି ଖରାର ପ୍ରକୋପ, ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ଆଗାମୀ ଦିନ ମାନଙ୍କରେ ଗ୍ରୀଷ୍ମ ପ୍ରବାହରେ ବୃଦ୍ଧି ଘଟିବ । ଏନେଇ ସତର୍କ କରିଛି ପାଣିପାଗ ବିଭାଗ । ତେଣୁ ଏବେଠୁ ପ୍ରସ୍ତୁତ ରହିବା ସହ ସ୍କୁଲ ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଏହାସହ ସାଧାରଣ ନିର୍ବାଚନକୁ ଆଖିରେ ରଖି ଗ୍ରୀଷ୍ମ ପ୍ରବାହ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ସହ ପାନୀୟ ଜଳ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଅସ୍ଥାୟୀ ଆଶ୍ରୟସ୍ଥଳୀ, ସ୍କୁଲ ଓ ପବ୍ଲିକ ଶିକ୍ଷାନୁଷ୍ଠାନର ସମୟର ସାରଣୀରେ ପରିବର୍ତ୍ତନ କରାଯାଇଛି । ଉନ୍ନତମାନର ମେଡିକାଲ ଜରୁରୀକାଳୀନ ସେବା ଏବଂ ଜନତାଙ୍କ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ଆସନ୍ତା ଏପ୍ରିଲ ଓ ମେ’ ମାସରେ ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୂତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାସହ ଅନେକ ସ୍ଥାନରେ ତାପମାତ୍ରା ସ୍ଵାଭାବିକଠାରୁ ଅଧିକ ରହିବ । ଏହା ନିର୍ବାଚନୀ ଶୋଭାଯାତ୍ରା, ପ୍ରଚାର ତଥା ନିର୍ବାଚନର ପରିଚାଳନା ପାଇଁ ବଡ଼ ଆହ୍ଵାନ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।

ଏହାପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନଡିଏମଏ) ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ରାଜ୍ୟରେ ନିର୍ବାଚନ ସମୟରେ ଖରାର ମୁକାବିଲା ପାଇଁ ଯୋଜନା କରିବାକୁ ଏଥିରେ ଉଲ୍ଲେଖ ରହିଥିଲା ।

ଅନ୍ୟପଟେ, ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରାଯାଇଥାଏ । ସକାଳ ୭ଟାରୁ ୧୧ ଟା ମଧ୍ୟରେ ସ୍କୁଲରେ ପାଠପଢା ହୁଏ । ଗତବର୍ଷ ତ ଖରାର ପ୍ରକୋପ ଏତେ ବଢିଯାଇଥିଲା ଯେ, ରାଜ୍ୟ ସରକାର ବାଧ୍ୟ ହୋଇ ସ୍କୁଲ ଛୁଟି ଘୋଷଣା କରିଥିଲେ । ଚଳିତବର୍ଷ ମଧ୍ୟ ଏବେଠୁ ଖରାର ପ୍ରକୋପ ବଢିଲାଣି । ହେଲେ ବର୍ତ୍ତମାନ ସୁଦ୍ଧା ପୂର୍ବ ସମୟରେ ସ୍କୁଲଯାଉଛନ୍ତି ପିଲାମାନେ । ସକାଳୁଆ ସ୍କୁଲ ହୋଇନାହିଁ ।

ତେବେ ମାର୍ଚ୍ଚ ୧୫ ତାରିଖରୁ ୨୦ ଯାଏଁ ସରକାରୀ ସ୍କୁଲରେ ପରୀକ୍ଷା ଚାଲିଥିବାରୁ ସକାଳ ୭ଟାରୁ ୧୧ଟା ଯାଏଁ ସ୍କୁଲ ଖୋଲାରହୁଛି । ମାତ୍ର ଅନ୍ୟ ବେସରକାରୀ ଓ ଘରୋଇ ସ୍କୁଲ ଏବେ ବି ଦିନ ସାରା ଖୋଲାଯାଉଛି, ୧୦ଟା ପରେ ପରୀକ୍ଷା ହେଉଛି । ୨୦ ତାରିଖରେ ପରୀକ୍ଷା ଶେଷ ହେଲେ ପୁଣି ୧୦ଟାରୁ ସ୍କୁଲ ଆରମ୍ଭ ହେବ ବୋଲି ଶିକ୍ଷକମାନେ କହୁଛନ୍ତି । ଆଉ ଏବେଠୁ ଏତେ ଟାଣୁଆ ଖରାରେ ପିଲାମାନେ କିପରି ସ୍କୁଲ ଯିବେ ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଅଭିଭାବକମାନେ ।

Leave A Reply

Your email address will not be published.