Latest Odisha News

BREAKING NEWS

ୟୁକେର ମାଞ୍ଚେଷ୍ଟରରେ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମାଞ୍ଚେଷ୍ଟର : ୟୁନାଇଟେଡ୍‍ କିଙ୍ଗଡମର ଦ୍ବିତୀୟ ବୃହତ୍ତମ ନଗରୀ ମାଞ୍ଚେଷ୍ଟରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା, ଅଧିବାଶ, କଳସ ଯାତ୍ରା, ଅଭିଷେକ, ମୂର୍ତ୍ତି ସ୍ଥାପନା ଓ ପ୍ରାଣ ପ୍ରତିଷ୍ଠା ଆଦି ଧାର୍ମିକ ନୀତି ବିଧି ମୁତାବକ ସମାପନ କରାଯାଇଥିଲା । ବହୁ ପ୍ରତୀକ୍ଷିତ ଏହି ପ୍ରତିମା ସ୍ଥାପନା ଉତ୍ସବକୁ ଦେଖିବା ପାଇଁ ମନ୍ଦିର ପରିସରରେ ପାଖାପାଖି ୫୦୦ ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଏହି ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ୨୩୧ ନମ୍ବର ଉଇଦିଂଟନ୍‍ ରୋଡ ସ୍ଥିତ ଗୀତା ଭବନ ହିନ୍ଦୁ ମନ୍ଦିରକୁ ରଙ୍ଗବେରଙ୍ଗର କାଗଜ ଓ କପଡ଼ାରେ ଭବ୍ୟ ଢଙ୍ଗରେ ସଜା ଯାଇଥିବା ଦେଖାଯାଇଥିଲା । ଅପରାହ୍ନ ୧୨ଟା ୪୫ରୁ ୧ଟା ୪୫ ମିନିଟ୍‍ ମଧ୍ୟରେ ନାମଯଜ୍ଞ, ହୋମ, ଭୋଗ, ମହାଆଳତି ଓ ପୁଷ୍ପାଞ୍ଜଳି ଆଦି ଧାର୍ମିକ କାର୍ଯ୍ୟକ୍ରମ ‘ଗ୍ଲାସ୍‍ ଗୋ’ ହିନ୍ଦୁ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ମେଦିନୀ ପତି ମିଶ୍ର ଏବଂ ଗୀତା ଭବନର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ଶ୍ୟାମସୁନ୍ଦର ଶର୍ମାଙ୍କର ସଂଯୁକ୍ତ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଅପରାହ୍ନ ୨ ଟା ୩୦ ମିନିଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରୋଷଣି ସହିତ ଗୀତା ଭବନ ପରିସରରେ ଥିବା ସୁନ୍ଦର, ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା ।

ବିଗ୍ରହ ସ୍ଥାପନା ଉତ୍ସବରେ ଡକ୍ଟର ଶିବ ସେନାପତି ପାରମ୍ପରିକ ଛେରା ପହଁରା କାର୍ଯ୍ୟ ତୁଲାଇଥିଲେ । ଏହା ପରେ ଭଜନ, କୀର୍ତ୍ତନର ସୁମଧୂର ମୁର୍ଚ୍ଛନା ମଧ୍ୟରେ ରଥଟିକୁ ଉଇଦିଂଟନ୍‍, ଉଇଲ୍‍ବ୍ରାହାମ୍‍, ବାଣ୍ଟିଂହମ୍‍ ଏବଂ ଆଲେକ୍‍ଜାଣ୍ଡ୍ରା ସାଉଥ୍‍ ଆଦି ରାସ୍ତାରେ ଦୁଇ ମାଇଲ୍‍ ପରିମିତ ଆଲେକ୍‍ଜାଣ୍ଡ୍ରା ପାର୍କ ପର୍ଯ୍ୟନ୍ତ ଟଣାଯାଇ ପୁଣି ମନ୍ଦିର ବେଢ଼ାକୁ ଫେରାଇ ଅଣାଯାଇଥିଲା । ରଥ ଉପରେ ଶୋଭା ପାଉଥିବା ଶ୍ରୀଜଗନ୍ନାଥ, ବଡ଼ ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ଶୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କର ଅପୂର୍ବ ଓ ଅଲୌକିକ ଝଲକ ଖୁବ୍‍ ଅନନ୍ୟ ଥିଲା । ଭାରତୀୟ ଓ ବିଦେଶୀ ଭକ୍ତମାନେ ରଥାରୁଢ଼ ତିନିଠାକୁରଙ୍କର ଦିବ୍ୟ ଦର୍ଶନ କରି ବେଶ ଆତ୍ମବିଭୋର ହୋଇ ପଡିଥିଲେ ।

ନିମ କାଠରେ ପୁରୀରେ ନିର୍ମିତ କରାଯାଇଥିବା ଦିଅଁମାନଙ୍କର ପ୍ରତିମୂର୍ତ୍ତିକୁ କୋରିଅର୍‍ ଯୋଗେ ମାଞ୍ଚେଷ୍ଟରକୁ ଅଣାଯାଇଥିଲା । ମାଞ୍ଚେଷ୍ଟରରେ ଏହି ଚତୁର୍ଦ୍ଧା ମୂର୍ତ୍ତିଙ୍କର ସ୍ଥାପନା ହେବା ଦ୍ବାରା ଉତ୍ତର-ପଶ୍ଚିମ ଇଂଲଣ୍ଡ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଅଧିବାସୀମାନଙ୍କର ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ଉତ୍ସବର ପ୍ରଧାନ ଆୟୋଜକ ଓ ପ୍ରସିଦ୍ଧ ଜଗନ୍ନାଥ ଭକ୍ତ ଡକ୍ଟର ଶିବ ସେନାପତି ଓ ଶ୍ରୀମତି ରେଖା ସେନାପତି ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.