Latest Odisha News

BREAKING NEWS

ପ୍ରତୀକ୍ଷାର ଅନ୍ତ ଘଟିଲା; ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ଭକ୍ତଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ । ନିର୍ଦ୍ଧାରିତ ସମୟ ଅନୁସାରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରକଳ୍ପ ଲୋକାର୍ପଣ ସହ ଫଳକ ଉନ୍ମୋଚନ ହୋଇଛି । ତିନି ଦିନ ଧରି ଶ୍ରୀମନ୍ଦିର ଉତ୍ତରପୂର୍ବ ଐଶାନ୍ୟ କୋଣରେ ଚାଲିଥିବା ଯଜ୍ଞକୁଣ୍ଡରେ ଗଜପତି ମହାରାଜା ପୂର୍ଣ୍ଣାହୁତି ଦେଇ ଯଜ୍ଞ ପ୍ରକ୍ରିୟା ସମାପ୍ତ କରିଛନ୍ତି ।

ଯଜ୍ଞ କାର୍ଯ୍ୟ ସମାପନ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗଜପତି ମହାରାଜା, ମନ୍ତ୍ରୀ, ବିଧାୟକ, ନିମନ୍ତ୍ରିତ ଅତିଥି, ସଂକୀର୍ତ୍ତନ ମଣ୍ଡଳି ପରିକ୍ରମା ପ୍ରକଳ୍ପ ଚତୁଃର୍ପାର୍ଶ୍ୱ ବୁଲି ଦେଖିଥିଲେ । ସେପଟେ ଭକ୍ତଙ୍କ ଉଦ୍ଦେଶ୍ୟରେ ତମାମ୍ ପ୍ରକଳ୍ପ ସମର୍ପିତ ହୋଇଥିବାରୁ ଭକ୍ତମାନେ ଏହି ସୁବିଧା ପାଇଁ ବେଶ୍ ଖୁସି ପ୍ରକଟ କରିଛନ୍ତି ।

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଥିବା କୁଶଳୀ କାରିଗରଙ୍କ ସମେତ ପ୍ରକଳ୍ପ ପାଇଁ ନିଜ ଭିଟାମାଟି ଓ ମୂଲ୍ୟବାନ ଜମି ତ୍ୟାଗ କରିଥିବା ପୁରୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ । ନେପାଳ ରାଜାଙ୍କ ଅନୁପସ୍ଥିତିରେ ତାଙ୍କର ତିନିଜଣ ପ୍ରତିନିଧି ମଧ୍ୟ ସଭାସ୍ଥଳରେ ଉପସ୍ଥିତ ରହିବା ସହ ପ୍ରକଳ୍ପ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନ୍ୟପଟେ ବିଧାୟକ, ସାଂସଦ ମାନେ ମଧ୍ୟ ପୁରୀର ନବକଳେବରକୁ ବେଶ୍ ପ୍ରଶଂସା କରିଥିଲେ ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ରୂପରେଖକୁ ନେଇ ଭକ୍ତମାନେ ଖୁସି ପ୍ରକଟ କରିଥିବା ବେଳେ ଶ୍ରୀମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ନଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବାକୁ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି । ତେବେ ଖୁବଶୀଘ୍ର ଶ୍ରୀସେତୁ ଓ ଶ୍ରୀମାର୍ଗ ଭକ୍ତଙ୍କ ପାଇଁ ଖୋଲାଯିବ କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।

ଅନ୍ୟପଟେ ଲୋକାର୍ପଣ ଉତ୍ସବ ପାଇଁ ସମଗ୍ର ଶ୍ରୀକ୍ଷେତ୍ର ସୁରକ୍ଷା ଚାଦର ମଧ୍ୟରେ ରହିଥିବା ବେଳେ ୮୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଫେସ୍ ରିଡିଙ୍ଗ କ୍ୟାମେରା, K9 ସିକ୍ୟୁରିଟି ସହ ବଛା ବଛା ବରିଷ୍ଠ ପୋଲିସ ଅଧିକାରୀ ମାନେ ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ।

ଆଜିଠାରୁ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଥିବା ବେଳେ ଭକ୍ତମାନେ ଏହାର ସୁବିଧା ପାଇବେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଂଗ୍ରେସ କର୍ମୀଙ୍କୁ ଥାନାରେ ଅଟକ ରଖାଯାଇଥିଲା ।

Leave A Reply

Your email address will not be published.