Latest Odisha News

ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ, ପ୍ରଥମେ ଥଇଥାନ ପରେ ବିସ୍ଥାପନ ଦାବି

ପୁରୀ: ଝଲସିବ ଶ୍ରୀକ୍ଷେତ୍ର, ବଢ଼ିବ ଗାରିମା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଚୌହଦୀରୁ ଉଚ୍ଛେଦ ସରିଥିବା ବେଳେ ଏବେ ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା ଖୁବଶୀଘ୍ର ପ୍ରଶସ୍ତିକରଣ ହେବ । ଗୋଟିଏ ସରଳରେଖାରେ ରହିବ କାକୁଡ଼ିଖାଇରୁ ସ୍ୱର୍ଗଦ୍ୱା ରାସ୍ତା । ଏମିତି ହେଲେ ସିଂହଦ୍ୱାର ଠାରୁ ସ୍ୱର୍ଗଦ୍ୱାର ଦେଖାଯିବ । ପ୍ରଥମେ ଏହି ରାସ୍ତାକୁ ୬୦ ଫୁଟ୍ ଚଉଡ଼ା ପାଇଁ ଯୋଜନା ଥିଲା ।

ସ୍ଥାନୀୟ ଲୋକଙ୍କ ବିରୋଧର ପରେ ରାସ୍ତା ୪୦ ଫୁଟ୍ ଚଉଡ଼ା ପାଇଁ ପ୍ରଶାସନ ଯୋଜନା କରିଛି । ବାଲିସାହି ପୁରୀର ସର୍ବପୁରାତନ ସାହି ହୋଇଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ନୀତିକାନ୍ତି ସହ ସମ୍ପର୍କ ରହିଛି । ଅନେକ ମଠ ମନ୍ଦିର ମଧ୍ୟ ଏହି ସାହିରେ ଅଛି । ଯାହାକି ଶ୍ରୀମନ୍ଦିର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ରାସ୍ତା ଚଉଡ଼ା ହେଲେ ଶତାଧିକ ବ୍ୟବସାୟୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇଯିବ ।

ତେଣୁ ପ୍ରଥମେ ଥଇଥାନ ଓ ପରେ ବିସ୍ଥାପନ ପାଇଁ ଦାବି ହୋଇଛି । ସେପଟେ ଶ୍ରୀମନ୍ଦିର ୭୫ ମିଟର ଚୌହଦୀରୁ ଉଚ୍ଛେଦ ସରିଥିବା ବେଳେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ପ୍ରଥମେ ସେହି କାମ ଶେଷ ପରେ ବାଲିସାହି ଉଚ୍ଛେଦ କାମ ହେଉ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ବିସ୍ଥାପିତଙ୍କ ସହ ଆଲୋଚନା କରି ସମସ୍ତଙ୍କ ସହମତିରେ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସଶକ୍ତିକରଣ କରିବା ପାଇଁ ବ୍ୟସ୍ତ ବହୁଳ ବାଲିସାହି ରାସ୍ତାକୁ ଚଉଡ଼ା ରାସ୍ତାରେ ପରିବର୍ତ୍ତନ କରାଯିବ ।

Leave A Reply

Your email address will not be published.