Latest Odisha News

BREAKING NEWS

ଡିଜିଟାଲ୍ ହେବ ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର: ଡିଜିଟାଲ୍ ହୋଇଯିବ ରାଜ୍ୟ କ୍ୟାବିନେଟ୍ । ଏହା ‘ଇ-କ୍ୟାବିନେଟ୍’ ହେବା ସହ ସମସ୍ତ ବୈଠକ ଓ ନଥିର ଡିଜିଟାଲ ରେକର୍ଡ ରହିବ । ଯାହା ଭବିଷ୍ୟତ ପାଇଁ ଭାରି ସହଯୋଗୀ ହେବ । ପୁରୁଣା କ୍ୟାବିନେଟ ରେକର୍ଡ ଖୋଜିବା ସରଳ ହୋଇଯିବ ।

ଡିଜିଟାଲ ଇଣ୍ଡିଆ ଅଭିଯାନରେ ଓଡ଼ିଶା ସରକାର ଓ ଏନଆଇସି ସହଭାଗିତାରେ ‘ଇ-କ୍ୟାବିନେଟ୍’ କାର୍ଯ୍ୟକାରୀ ହେବ । ଏନେଇ ଅତି ନିକଟରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ଏବଂ ଏନଆଇସି ମିଳିତ ବୈଠକ କରି ଆଗାମୀ କାର୍ଯ୍ୟପନ୍ଥା ଓ ପ୍ରକଳ୍ପ ବିଷୟ ଆଲୋଚନା କରିବେ । ଖବର ସରବରାହ ସଂସ୍ଥା ‘ତଥ୍ୟ’ ନିକଟରୁ ଏହି ଖବର ହସ୍ତଗତ ହୋଇଛି ।

ଥରେ ଅନ୍‍ଲାଇନ୍‍ ବ୍ୟବସ୍ଥା କାର୍ୟ୍ୟକାରୀ ହେଲେ ସମ୍ପୂର୍ଣ୍ଣ କ୍ୟାବିନେଟ୍‍ ଏବଂ ମନ୍ତ୍ରୀମଣ୍ଡଳ ସଂକ୍ରାନ୍ତୀୟ ସମସ୍ତ ସୂଚନା ୱେବ ପ୍ଲାଟଫର୍ମକୁ ଆସିଯିବ ।

କ୍ୟାବିନେଟ୍‍ ବୈଠକ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ଏକାଧିକ ବାର୍ତ୍ତାଳାପ ଓ ଫାଇଲ୍‍ ନେଣଦେଣ ହୋଇଥାଏ । ପ୍ରତ୍ୟେକ ବୈଠକ ପାଇଁ ବ୍ୟାପକ କାଗଜ, ତେଲ, ମାନବ ସମ୍ବଳ ସହିତ ସମୟ ବି ଖର୍ଚ୍ଚ ହୋଇଥାଏ । ‘ଇ-କ୍ୟାବିନେଟ୍’ ବ୍ୟବସ୍ଥାରେ କ୍ୟାବିନେଟ୍‍ ନିଷ୍ପତ୍ତିର ସମସ୍ତ ସୂଚନା ଡାଟାବେସ୍‍ର ରହିବା ସହିତ ଚାହିଁଲା ମାତ୍ରେ ତୁରନ୍ତ ତାହା ଉପଲବ୍ଧ ହେବ । ତେବେ କ୍ୟାବିନେଟ ସଂକ୍ରାନ୍ତୀୟ କେତେକ ଗୁପ୍ତ ତଥ୍ୟ ବାଦ୍‍ ଅନ୍ୟଗୁଡିକ ସହଜରେ ମିଳିପାରିବ ।

ଫାଇଲ୍‍ ଗୁଡିକ ଇଲେକଟ୍ରୋନିକ ବ୍ୟବସ୍ଥାରେ ଗତି କରିବା ଫଳରେ କୌଣସି ଗୁପ୍ତ ତଥ୍ୟ ପ୍ରଘଟ ହେବାର ସମ୍ଭାବନା କ୍ଷୀଣ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ଏଥି ସହିତ ସଂଶ୍ଳିଷ୍ଟ ବରିଷ୍ଠ ଅଧିକାରୀମାନେ ହିଁ କେବଳ ଏହି ଫାଇଲ୍‍କୁ ଦେଖିପାରିବେ । ଭବିଷ୍ୟତରେ ସମସ୍ତ ସୂଚନା ଏସ୍‍ଏମଏସ୍‍, ଇ-ମେଲ୍‍ ଏବଂ ପୋର୍ଟାଲ ଜରିଆରେ ଯେକୌଣସି ସମୟରେ ଉପଲବ୍ଧ ହୋଇପାରିବ ।

ଅନ୍ୟ ରାଜ୍ୟ ଯଥା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସଫଳତାର ସହ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ରାଜ୍ୟ ସରକାର ମଧ୍ୟ ଇ-ବିଧାନ ବିଧାନସଭା ଆରମ୍ଭ କରିଛନ୍ତି । ବିଧାନସଭାର ପ୍ରଶ୍ନ ଏବଂ ଉତ୍ତର ନେସନାଲ ଇ-ବିଧାନ ଆପ୍ଲିକେସନ ବା ନେଭା ପୋର୍ଟାଲ ଏବଂ ମୋବାଇଲ୍‍ ଫର୍ମାଟରେ ଉପଲବ୍ଧ ହେଉଛି ।

ବିଧାନସଭାର ସମସ୍ତ କାର୍ଯ୍ୟ ଏବେ ମୋବାଇଲ୍‍ ଆପ୍ଲିକେଶନରେ ଉପଲବ୍ଧ । ଏପରିକି ଡିଜିଟାଲ ବ୍ୟବସ୍ଥାରେ ବଜେଟ୍‍ ଉପସ୍ଥାପନ ହେବା ସହିତ ସମସ୍ତ ସଦସ୍ୟଙ୍କୁ ଏହା ନେଭା ଜରିଆରେ ଯୋଗାଇ ଦିଆଯାଉଛି । ସାଧାରଣ ଲୋକେ ବି ସହଜରେ ଏହାକୁ ପାଇପାରୁଛନ୍ତି ।

Leave A Reply

Your email address will not be published.