Latest Odisha News

BREAKING NEWS

ବାଜିଲା ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍‌: ସମସ୍ତ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ବୈଠକ

ଭୁବନେଶ୍ୱର: ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଉଚ୍ଚସ୍ତରୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ। ଆସନ୍ତା ୨୧ ତାରିଖରେ OSWAN ପ୍ଲାଟଫର୍ମରେ ହେବ ବଡ଼ ବୈଠକ। VCରେ ସାମିଲ ହେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି। ଡୋର୍‌ ଟୁ ଡୋର୍‌ (D2D) ସର୍ଭେ ଉପରେ ହେବ ସମୀକ୍ଷା। DC ବିଲ୍‌ ଓ ୟୁଟିଲାଇଜେସନ ସାର୍ଟିଫିକେଟ୍‌ ଉପରେ ବି ହେବ ଆଲୋଚନା।

ଆସନ୍ତା ଜୁଲାଇ ୨୧ ତାରିଖ ସକାଳ ୧୧ଟା ୩୦ ମିନିଟରେ ସମସ୍ତ ଜିଲ୍ଲାପାଳଙ୍କ ସହ ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ଏହି ବୈଠକରେ ୨୦୨୭ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ସହରାଞ୍ଚଳ ସ୍ଥାନୀୟ କାଉନସିଲଗୁଡ଼ିକର ବୁଥଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେର ରୂପରେଖା ଓ କାର୍ୟ୍ୟପନ୍ଥା ଉପରେ ଆଲୋଚନା ହେବ। ଏହାଛଡ଼ା, ୨୦୨୨ ସହରାଞ୍ଚଳ ସ୍ଥାନୀୟ କାଉନସିଲ୍ ନିର୍ବାଚନ ସମ୍ବନ୍ଧୀୟ ବକେୟା ଡିସି ବିଲ୍‌ ଓ ଉପଯୋଗ ପ୍ରମାଣପତ୍ର ଦାଖଲର ଅଗ୍ରଗତି ସମୀକ୍ଷା କରାଯିବ। ଏହି ବକେୟା କାଗଜପତ୍ର ଶୀଘ୍ର ସମାଧାନ ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯିବ।

ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ୟୁଏଲବି ନିର୍ବାଚନର ନୋଡାଲ ଅଧିକାରୀ), ସମସ୍ତ ଇଆରଓ, ଏଇଆରଓ ଏବଂ ସମ୍ପୃକ୍ତ ରାଜସ୍ୱ ଅଧିକାରୀମାନେ ମଧ୍ୟ ଜିଲ୍ଲା ଓଏସୱାନ୍‌ କେନ୍ଦ୍ରରୁ ଭିଡିଓ କନଫରେନ୍ସରେ ଯୋଗଦେବେ। ଏହି ବୈଠକକୁ ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତିର ପ୍ରଥମ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।

Leave A Reply

Your email address will not be published.