Latest Odisha News

BREAKING NEWS

ମାର୍ଚ୍ଚ-ଏପ୍ରିଲରେ ହୋଇପାରେ ପଞ୍ଚାୟତ ନିର୍ବାଚନ: ଏହି ଦିନେ ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ମାର୍ଚ୍ଚରେ ବାଜିପାରେ ପଞ୍ଚାୟତ ନିର୍ବାଚନ ବିଗୁଲ। ପଞ୍ଚାୟତ ନିର୍ବାଚନକୁ ନେଇ ୩ ରାଜନୈତିକ ଦଳ ଭିତରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ। ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ନେଇ କମିଶନ ପ୍ରସ୍ତୁତ ଅଛି। ପଞ୍ଚାୟତ ନିର୍ବାଚନ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତି ନେଇ ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ।

ସର୍ଭେ ପରେ ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇ ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ସୁଦ୍ଧା ଚୁଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ଏହା ସରିବା ପରେ ହିଁ ଅର୍ଥାତ ମାର୍ଚ୍ଚ ୫ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଯଦିଓ ବର୍ତ୍ତମାନ ପଞ୍ଚାୟଗୁଡ଼ିକର ଅବଧି ଫେବ୍ରୁଆରୀରେ ସରୁଛି, ଜନଗଣନା ପାଇଁ ପଞ୍ଚାୟତ ନିର୍ବାଚନ ମାସେ ବିଳମ୍ବ ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ପଞ୍ଚାୟତ ନିର୍ବାଚନ ସରିବାର ପ୍ରାୟ ମାସେ ପରେ ପୌର ନିର୍ବାଚନ ହେବ। ଯେଉଁଥିରେ ନୂଆ କରି ଘୋଷଣା ହୋଇଥିବା ଏନଏସି, ମ୍ୟୁନିସିପାଲିଟି, ମ୍ୟୁନିସିପାଲ୍ କର୍ପୋରେସନକୁ ସାମିଲ କରାଯିବ ବୋଲି ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ୫ ଟି ପର୍ୟ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନ ସରିବା ପରେ ଏହାର ୧୫ ଦିନ କିମ୍ବା ମାସେ ଭିତରେ ପୌର ନିର୍ବାଚନ ହେବ। ପଞ୍ଚାୟତ ନିର୍ବାଚନ ବାଲାଟରେ ଓ ପୌର ନିର୍ବାଚନ ଇଭିଏମ୍‌ରେ ହେବ। ପଞ୍ଚାୟତ ନିର୍ବାଚନ ପାଇଁ ୯୧ ହଜାର ବୁଥ୍‌ ପ୍ରସ୍ତୁତ ଅଛି। ଅକ୍ଟୋବର ୨୪ରୁ ନଭେମ୍ବର ୭ ପର୍ୟ୍ୟନ୍ତ ସାରା ଓଡ଼ିଶାରେ ସର୍ଭେ ହେବ। ଫେବ୍ରୁଆରି ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ। ଗୋଟିଏ ଅଞ୍ଚଳର ଭୋଟର୍‌, ଗୋଟିଏ ୱାର୍ଡରେ ରହିବେ, ଏହା ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ। ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ସରିବ।

Leave A Reply

Your email address will not be published.