ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପୋଲିସ ସବ୍-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ବିବାଦକୁ ନେଇ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ପୋଲିସ ଏସଆଇ ପରୀକ୍ଷା ପରିଚାଳନାରେ ଅନିୟମିତତା ଏବଂ ଏଥିରେ ହେଉଥିବା ଅହେତୁକ ବିଳମ୍ବକୁ ନେଇ ଶାସକ ବିଜେପି ସରକାରଙ୍କ ଉପରେ କଡ଼ା ପ୍ରହାର କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ରାଜ୍ୟର ହଜାର ହଜାର ମେଧାବୀ ଯୁବକଯୁବତୀଙ୍କ ଭବିଷ୍ୟତ ସହ ବର୍ତ୍ତମାନର ସରକାର ଖେଳ ଖେଳୁଛନ୍ତି ବୋଲି ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
ଏକ ବିବୃତ୍ତି ଜରିଆରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଆଇ ପରୀକ୍ଷା ପାଇଁ ରାଜ୍ୟର ଅନେକ ଶିକ୍ଷିତ ବେକାର ଯୁବକ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରୁଛନ୍ତି। ମାତ୍ର ସରକାରଙ୍କ ଖାମଖିଆଲି ମନୋଭାବ ଏବଂ ପ୍ରଶାସନିକ ସ୍ଥାଣୁତା କାରଣରୁ ନିଯୁକ୍ତି ପ୍ରକ୍ରିୟାରେ ଅଯଥା ବିଳମ୍ବ ଦେଖାଦେଇଛି। ପୂର୍ବ ବିଜେଡି ସରକାର ସମୟରେ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ବିଜେପି ସରକାର ଯୁବବର୍ଗଙ୍କୁ ନିଯୁକ୍ତି ଦେବା ବଦଳରେ ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଭ୍ରମିତ କରୁଛନ୍ତି ବୋଲି ନବୀନ କ୍ଷୋଭ ପ୍ରକାଶ କରିଛନ୍ତି ।
ଏହି ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ବିରୋଧୀ ଦଳ ନେତା ଦୃଢ଼ ଦାବି କରିଛନ୍ତି। ପରୀକ୍ଷା ଫଳାଫଳ ପ୍ରକାଶନ ଓ ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲୋଡିଛନ୍ତି। ନବୀନ ସ୍ପଷ୍ଟ କରିଛନ୍ତି ଯେ, ପୋଲିସ ବିଭାଗରେ ବହୁ ସଂଖ୍ୟାରେ ଖାଲି ପଡ଼ିଥିବା ପଦବୀ ପୂରଣ ନହେବା ଦ୍ୱାରା କେବଳ ଯୁବବର୍ଗ ନିରାଶ ହେଉନାହାନ୍ତି, ବରଂ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ସ୍ୱଚ୍ଛତା ନାଁରେ ସରକାର ପରୀକ୍ଷାର୍ଥୀଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇପାରିବେ ନାହିଁ ।
ଯଦି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି ଏବଂ ଏସଆଇ ପରୀକ୍ଷାର୍ଥୀଙ୍କ ସମସ୍ୟାର ସମାଧାନ ନକରନ୍ତି, ତେବେ ଆଗାମୀ ଦିନରେ ବିଜୁ ଜନତା ଦଳ ଛାତ୍ର ଓ ଯୁବକଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାକୁ ଓହ୍ଲାଇ ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦିଆଯାଇଛି ।


Comments are closed.