Latest Odisha News

ଏକାମ୍ର ହାଟରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା) ଆନୁକୂଲ୍ୟରେ ସ୍ଥାନୀୟ ଏକାମ୍ର ହାଟରେ ଏକ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ବୟନ ଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକଶୋଭନ କୃଷ୍ଣ ସାହୁ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ତଥା ପରିଚାଳନା ନିର୍ଦ୍ଦେଶକ, ବୟନିକା ଶ୍ରୀକାନ୍ତ ପୃଷ୍ଟି, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏବଂ ଅନ୍ୟାନ୍ୟ ପଦାଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

ଏହି ମେଳାରେ ସମୁଦାୟ ୬୦ ଗୋଟି ପ୍ରାଥମିକ ସମବାୟ ସମିତି ଯୋଗଦାନ କରିଛନ୍ତି । ଏଥି ମଧ୍ୟରୁ ୪୦ ଗୋଟି ଓଡିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କ ପାଇଁ ଉଦ୍ଦିଷ୍ଟ । ଅନ୍ୟ ୨୦ ଗୋଟି ସଂସ୍ଥା ବିଭିନ୍ନ ରାଜ୍ୟରୁ ଯୋଗଦାନ କରିଛନ୍ତି । ଏହି ମେଳାରେ ଉତ୍ତରପ୍ରଦେଶ, ଜାମ୍ମୁକାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ, ହରିୟାନା ଏବଂ ଓଡିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ସହ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ଓଡିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍‌, ଗୁଜୁରାଟର ପଟୋଲା, ଲକ୍ଷ୍ମୋðର ଚିକେନକାରୀ, ଜାମ୍ମୁକାଶ୍ମୀରର ପଶ୍ମିନା-ସାଲ, ଦିଲ୍ମୀ, ହରିୟାନାର ଫର୍ନିସିଙ୍ଗ୍‌ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲ୍‌କ ଶାଢି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି ।

ଏହି ମେଳା ପ୍ରତ୍ୟହ ଦିବା ୧୧.୦୦ ଘଟିକାଠାରୁ ରାତ୍ର ୯.୦୦ ଘଟିକା ପର୍ଯ୍ୟନ୍ତ ଚଳିତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । । ଏହି ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଅଛି ।

 

Leave A Reply

Your email address will not be published.