Latest Odisha News

BREAKING NEWS

ଲଳିତ କଳା ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରକଳା ଶିବିର ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅନଲାଇନ ଚିତ୍ରକଳା ଶିବିର ଉଦଘାଟିତ ହୋଇଯାଇଛି। ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରକୁ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ।

ଏହି ଶିବିରରେ ୬୬୮ ଜଣ ଶିଳ୍ପୀ ଭାଗ ନେବା ପାଇଁ ଆବେଦନ କରିଥିବା ବେଳେ ବୈଷୟିକ କମିଟି ଦ୍ୱାରା ଯାଞ୍ଚ ହେଲା ପରେ କେବଳ ୧୦୦ ଜଣ ଶିଳ୍ପୀଙ୍କୁ ତାଙ୍କ କଳାକୃତି ଏକାଡେମୀକୁ ପଠେଇବା ପାଇଁ ମନୋନୀତ କରାଯାଇଛି। ଏକାଡେମୀ ପକ୍ଷରୁ ମନୋନୀତ ଶିଳ୍ପୀମାନଙ୍କୁ ୧୦,୦୦୦ ଲେଖାଏଁ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଓଡ଼ିଶା ଲଳିତ କଳା ଏକାଡେମୀକୁ ପ୍ରଶଂସା କରି କହିଲେ ଯେ କୋଭିଡ଼ ୧୯ ନିୟମକୁ ପାଳନ କରିବା ସହ ଏକାଡେମୀ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହ ଜାରି ରଖିଛି। ଘରେ ରହି ଶିଳ୍ପୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ପାରୁଛନ୍ତି। ରଥଯାତ୍ରା ଅବସରରେ “ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା” ଶୀର୍ଷକ ବିଷୟବସ୍ତୁ ଆଧାରିତ ଚିତ୍ରକଳା ଓ ଭାସ୍କର୍ଯ୍ୟ କଳାକୃତିକୁ ଅନଲାଇନ ପ୍ରଦର୍ଶନୀ ମାଧ୍ୟମରେ ଜନାଦୃତ କରିବା ଲକ୍ଷ୍ୟରେ ଏକାଡେମୀର ସ୍ୱତନ୍ତ୍ର ଉଦ୍ୟମ ବୋଲି ସେ ମତ ପ୍ରକାଶ କରିଥିଲେ।

ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଏପରି କାର୍ଯ୍ୟକ୍ରମ ଶିଳ୍ପୀ ମାନଙ୍କର ମନୋବଳକୁ ଦୃଢ଼ କରି ପାରିଛି ବୋଲି କହିଥିଲେ । ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପୀ ମାନଙ୍କୁ ଶୁଭକାମନା ଜଣେଇବା ସହ ପ୍ରଭୁ ଜଗନ୍ନାଥଙ୍କର କୃପା ଭିକ୍ଷା କରିଥିଲେ।

ଏକାଡେମୀର ସଚିବ ପଞ୍ଚାନନ ସାମଲଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ ଶିବିର ବିଷୟରେ ଆଲୋକପାତ କରିଥିଲେ।  କାର୍ଯ୍ୟକ୍ରମ ଶେଷରେ ମନସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.