Latest Odisha News

BREAKING NEWS

ଚାମ୍ପିୟନ ନ ହୋଇ ବି ଚାମ୍ପିୟନଠାରୁ କମ ନ ଥିଲା ଟିମ ଇଣ୍ଡିଆର ପ୍ରଦର୍ଶନ

ଟିମ ଇଣ୍ଡିଆ ପୁନର୍ବାର ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲ ହର୍ଡଲ୍ସ ପାର କରିପାରିଲା ନାହିଁ । ହତାଶ, ନିରାଶ ପ୍ରଶଂସକଙ୍କ ମନରୁ ଏବେ ବି ଏହା ବାହାରି ପାର ନାହିଁ । ତେବେ ସତରେ ଟିମ ଇଣ୍ଡିଆ ପ୍ରଶଂସକଙ୍କୁ ନିରାଶ କରିବା ପରି ଖେଳିଥିଲା…ଆଦୌ ନୁହେଁ । ସରଳ ଭାଷାରେ ସମ୍ପୂର୍ଣ୍ଣ ବିଶ୍ୱକପରେ ଗୋଟିଏ ଦିନ ଆମର ନ ଥିଲା । ତଥାପି ସଂଘର୍ଷ କରିଥିଲେ । ବିରାଟ କୋହଲି ଅର୍ଦ୍ଧଶତକ ପରେ ଲୟକୁ ଫେରୁଥିବା ବେଳେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହୋଇଥିଲେ । ସେହିପରି ସମ୍ପୂର୍ଣ୍ଣ ବିଶ୍ୱକପରେ ଜବରଦସ୍ତ ୱିକେଟ କିପିଂ କରିଥିବା କେଏଲ ରାହୁଲ ଫାଇନାଲରେ କ୍ୟାଚ ମିସ କରିବାକୁ ଆମେ କଣ କହିବା । ହୁଏତ ଫାଇନାଲର ଚାପ ଓ ଭାଗ୍ୟ ଆମ ସପକ୍ଷରେ ନ ଥିଲା ।

କିଛଟା ସକରାତ୍ମକ ମନୋବୃତି ଅବଶ୍ୟ ଆବଶ୍ୟକ ଥିଲା । କୋହଲି, ରାହୁଲ ତାଙ୍କ ଉପରେ ବିଶ୍ୱାସ ରଖି ରନ ବଢ଼ାଇ ପାରିଥାନ୍ତେ । ରୋହିତଙ୍କ ଗୋଟିଏ, ଦୁଇଟି ଶଟ ପରେ ପଥଚ୍ୟୁତ ହୋଇଥିଲା ଅଷ୍ଟ୍ରେଲିଆ ବୋଲିଂ । ଜିତିବାର ଜୁନୁନ ଏତେ ମାତ୍ରାରେ ଥିଲା ଯେ ଆମ ଖେଳାଳିମାନେ କିଛିଟା ଭାବପ୍ରବଣ ହୋଇ ପଡିଥିଲେ । ଯେପରି ବୋଲିଂରେ ପ୍ରାରମ୍ଭିକ ଝଟକା ଦେବା ପରେ ମହମ୍ମଦ ସାମୀ ଅତ୍ୟଧିକ ଉତ୍ସାହିତ ହୋଇ ପଡି ଅତିରିକ୍ତ ରନ ଦେଇଥିଲେ । ହଁ ଗୋଟିଏ କଥା ସତ ରବୀନ୍ଦ୍ର ଜାଡେଜା ଓ କୂଲଦୀପଙ୍କ ବୋଲିଂରୁ ଭାରତ ୱିକେଟ ଆବଶ୍ୟକ କରୁଥିଲା । ୨୦ ଓଭରରେ ଭାରତୀୟ ସ୍ପିନରଙ୍କ ସ୍ପିନକୁ ଡରୁଥିବା କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ୱିକେଟ ନ ନେଇ ପାରିବା ଅବଶ୍ୟ ନିରାଶ କରିଥିଲା । ସୂର୍ଯ୍ୟକୁମାର ଯାଦବ ଓ ଜାଡେଜା ବ୍ୟାଟିଂରେ କିଛି ରନ ସଂଗ୍ରହ କରିବା ଜରୁରୀ ଥିଲା । ତଥାପି ଚାମ୍ପିୟନ ନ ହେଲା ପର୍ଯ୍ୟନ୍ତ ଲଢ଼େଇ ଜାରୀ ରହିବ । ଏହା ତ ଖେଳ…ଏହା ହିଁ ରୋମାଂଚ । ଆଉ ଯଦି ସବୁ କିଛି ପୂର୍ବାନୁମାନରେ ହୋଇଯିବ ତାହାହେଲେ କ୍ରିକେଟ ଅକାଳରେ ମରିଯିବନି ?

ଅଷ୍ଟ୍ରେଲିଆ ଟାଇଟଲ ହାସଲ କରିଥିଲେ ବି ସମଗ୍ର ବିଶ୍ୱକପରେ ଭାରତ ଚାମ୍ପିୟନଠାରୁ କମ ଖେଳି ନ ଥିଲା । ସମସ୍ତ ବିଭାଗରେ ଭାରତର ପ୍ରଦର୍ଶନ ଅନେକ ଗୁଣରେ ଅନ୍ୟମାନଙ୍କଠାରୁ ଭଲ ରହିଥିଲା । ଟିମ ଇଣ୍ଡିଆର ଖେଳାଳିମାନେ ୩୧୬୦ ରନ, ୭ଟି ଶତକ ଓ ଶହେ ୱିକେଟ ହାସଲ କରିଥିଲେ । ନେଦରଲାଣ୍ଡ ବିପକ୍ଷରେ ଟିମ ସର୍ବୋଚ୍ଚ ସ୍କୋର ୪୧୦ ରନ ସଂଗ୍ରହ କରିଥିଲା । କେବଳ ଫାଇନାଲରେ ଭାରତ ଅଲଆଉଟ ହୋଇଥିଲା । ଅପରପକ୍ଷରେ ୧୧ ମୁକାବିଲାରେ ଭାରତ ୮ଥର ବିପକ୍ଷ ଦଳକୁ ଅଲଆଉଟ କରିଥିଲା । ୨ଟି ମୁକାବିଲାରେ ୮ଟି ୱିକେଟ..କେବଳ ଫାଇନାଲରେ ଭାରତୀୟ ବୋଲର ୪ଟି ୱିକେଟ ଅକ୍ତିଆର କରିଥିଲେ । ବିରାଟ କୋହଲି ୩ଟି, ଶ୍ରେୟାଶ ଆୟାର ୨ଟି ଓ ଅଧିନାୟକ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ଗୋଟିଏ ଲେଖାଁଏ ଶତକ ମାରିଥିଲେ । ୧୧ ଇନିଂସରେ ୭୬୫ ରନ କରି କୋହଲି ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିଲେ । ସେ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ବିବେଚିତ ହୋଇଥିଲେ ।

କୋହଲି ବିଶ୍ୱକପରେ ସର୍ବାଧିକ ୬ ଅର୍ଦ୍ଧଶତକ ହାସଲ କରିଥିଲେ । ଶୁଭମନ ଗିଲ ୪ଟି, ରୋହିତ ଓ ଶ୍ରେୟାଶ ୩ଟି ଲେଖାଁଏ ଅର୍ଦ୍ଧଶତକ ମାରିଥିଲେ । ସେହିପରି ବ୍ୟକ୍ତିଗତ ସର୍ବାଧିକ ୬୮ ଚୌକା କୋହଲି ଓ ୪୧ ଛକା ରୋହିତ ମାରିଥିଲେ । ବୋଲରମାନଙ୍କ ମଧ୍ୟରେ ମହମ୍ମଦ ସାମୀ ବିଶ୍ୱକପରେ ସର୍ବାଧିକ ୨୪ ୱିକେଟ ଅକ୍ତିଆର କରିଥିଲେ । ଯଶପ୍ରୀତ ବୁମରାହ ୨୦ ଓ ରବୀନ୍ଦ୍ର ଜାଡେଜା ୧୬ ୱିକେଟ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ମହମ୍ମଦ ସାମୀ ୯.୫ ଓଭରରେ ୫୭ ରନ ଦେଇ ୭ଟି ୱିକେଟ ଅକ୍ତିଆର କରିଥିଲେ । ଏହା ବିଶ୍ୱକପର ଶ୍ରେଷ୍ଠ ସ୍ପେଲ ଥିଲା ।

Leave A Reply

Your email address will not be published.