ଲଣ୍ଡନ: ବ୍ରିଟେନର ରାଜଧାନୀ ଲଣ୍ଡନ ଏବେ ଏକ ନୂଆ ଏବଂ ସାଂଘାତିକ ସମସ୍ୟା ଦେଇ ଗତି କରୁଛି । ସହରର ରାସ୍ତାଘାଟରେ ମୋବାଇଲ୍ ଫୋନ୍ ଛିନତାଇ କିମ୍ବା ଲୁଟ୍ ଘଟଣା ଏତେ ମାତ୍ରାରେ ବଢ଼ିଯାଇଛି ଯେ, ଲଣ୍ଡନକୁ ଏବେ ‘ଫୋନ୍ ସ୍ନାଚିଂ କ୍ୟାପିଟାଲ୍’ ବା ‘ଫୋନ୍ ଲୁଟ୍ର ରାଜଧାନୀ’ ବୋଲି କୁହାଯାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ଏହି ଚୋରି ପଛରେ କେବଳ ସ୍ଥାନୀୟ ଲୁଟେରା ନୁହଁନ୍ତି, ବରଂ ଏକ ବଡ଼ ଅନ୍ତର୍ଜାତୀୟ ଅପରାଧିକ ନେଟୱାର୍କ ସକ୍ରିୟ ରହିଛି । ଆଉ ଏହି ଲୁଟ୍ ହୋଇଥିବା ଦାମୀ ଆଇଫୋନ୍ ଗୁଡ଼ିକ ସିଧାସଳଖ ଚୀନ୍ ପହଞ୍ଚୁଥିବା ତଦନ୍ତରୁ ଜଣାପଡ଼ିଛି ।
ରିପୋର୍ଟ ଅନୁଯାୟୀ, ଲଣ୍ଡନର ରାସ୍ତାରେ ଇ-ବାଇକ୍ କିମ୍ବା ସ୍କୁଟରରେ ଆସୁଥିବା ଲୁଟେରାମାନେ ଲୋକଙ୍କ ହାତରୁ ଆଖିପିଛୁଳାକେ ଦାମୀ ଫୋନ୍ ଝାମ୍ପି ନେଉଛନ୍ତି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଫୋନ୍ ଲୁଟ୍ ହେଉଛି । ଏହି ଚୋରା ଫୋନ୍ଗୁଡ଼ିକୁ ସଂଗ୍ରହ କରାଯାଇ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ଦେଶ ବାହାରକୁ, ବିଶେଷ କରି ଚୀନକୁ ପାର୍ସଲ୍ କିମ୍ବା ସ୍ମଗଲିଂ ଜରିଆରେ ପଠାଇ ଦିଆଯାଉଛି। ଚୀନର ବିଶାଳ ଇଲେକ୍ଟ୍ରୋନିକ୍ସ ବଜାରରେ ଏହି ଚୋରା ନେଟୱାର୍କର ଚେର ବହୁତ ଲମ୍ବା ।
ଆଇଫୋନ୍ରେ ଉଚ୍ଚମାନର ସିକ୍ୟୁରିଟି ବ୍ୟବସ୍ଥା ଥିବାରୁ ଚୋରି ପରେ ସାଧାରଣତଃ ଏହାକୁ ଖୋଲିବା ସହଜ ନୁହେଁ । କିନ୍ତୁ ଚୀନରେ ବସିଥିବା ହ୍ୟାକର୍ମାନେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଏହାର ପାସ୍ୱାର୍ଡ ଭାଙ୍ଗି ଦେଉଛନ୍ତି ଏବଂ ପରେ ଏହାକୁ ନୂଆ ଫୋନ୍ ଭଳି ବଜାରରେ ବିକ୍ରି କରାଯାଉଛି । ଅନ୍ୟପକ୍ଷରେ, ଯେଉଁ ଫୋନ୍ଗୁଡ଼ିକ ଅନ୍ଲକ୍ ହୋଇପାରୁନାହିଁ, ସେଗୁଡ଼ିକର ଯନ୍ତ୍ରାଂଶ ଯଥା- ସ୍କ୍ରିନ୍, କ୍ୟାମେରା, ବ୍ୟାଟେରୀ ଏବଂ ମଦରବୋର୍ଡକୁ ଅଲଗା କରିଦିଆଯାଉଛି। ଆପଲ୍ କମ୍ପାନୀର ଏହି ଅରିଜିନାଲ୍ ପାର୍ଟସ୍ଗୁଡ଼ିକୁ କଳାବଜାରରେ ଚଢ଼ା ଦରରେ ବିକ୍ରି କରାଯାଉଛି ।
ଏହି ଅନ୍ତର୍ଜାତୀୟ ଅପରାଧୀଙ୍କ ରାକେଟ୍ ଏବେ ଲଣ୍ଡନ ମେଟ୍ରୋପୋଲିଟାନ୍ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ରାସ୍ତାରେ ଯିବା ଆସିବା ସମୟରେ ଫୋନ୍ ବ୍ୟବହାର କରୁଥିବା ପଥଚାରୀ ଓ ପର୍ଯ୍ୟଟକମାନେ ହିଁ ଏମାନଙ୍କର ମୁଖ୍ୟ ଟାର୍ଗେଟ୍ ହେଉଛନ୍ତି । ଏହି ରାକେଟକୁ ରୋକିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲେ ହେଁ, ଲୋକଙ୍କୁ ରାସ୍ତାରେ ସତର୍କତାର ସହ ଫୋନ୍ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

