Latest Odisha News

ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ୱରର ସମସ୍ତ ସୀମା ସିଲ୍, ଯାଞ୍ଚ କଡ଼ାକଡ଼ି

ବାଲେଶ୍ୱର: ପଶ୍ଚିମବଙ୍ଗରେ କରୋନାର ତ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ପରେ ଓଡ଼ିଶା ସରକାର ଜାରି କରିଛନ୍ତି କଡ଼ା କଟାକଣା । ପଶ୍ଚିମବଙ୍ଗର ଆସୁଥିବା ସମସ୍ତଙ୍କ ଲାଗି ୧୪ ଦିନିଆ କ୍ୱାରେଣ୍ଟାଇନକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ ପଶ୍ଚିମବଙ୍ଗ ସୀମାନ୍ତ ଜିଲ୍ଲାକୁ ସିଲ୍ କରାଯାଇ କଡ଼ା ଯାଞ୍ଚ କରାଯାଉଛି ।

୪୮ ଘଣ୍ଟା ମଧ୍ୟର ଆରଟି-ପିସିଆର୍ ନେଗେଟିଭ୍‌ ରିପୋର୍ଟ କିମ୍ବା ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେଇଥିବା ପ୍ରମାଣପତ୍ର ନଥିଲେ ଓଡ଼ିଶାକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ଫଳରେ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ତରଫରୁ ଲକ୍ଷ୍ମଣନାଥ, ଦୀଘା ସେମତ ଭୋଗରାଇ ଓ ବାଲିଆପାଳ ବ୍ଲକର ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୪୪ଟି ରାସ୍ତାକୁ ସିଲ୍‌ କରି ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ମାଲବାହୀ ଯାନ ବ୍ୟତୀତ କୌଣସି ଯାନକୁ ଓଡ଼ିଶା ସୀମାକୁ ପଶିବା ଉପରେ ପ୍ରତିବନ୍ଧକ ଲଗାଇଛି ପ୍ରଶାସନ । ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଲକ୍ଷ୍ମଣନାଥରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେହିପରି ପଶ୍ଚିମବଙ୍ଗର ଦୀଘାରୁ ଡ଼ଙ୍ଗା ଓ ଟ୍ରଲର ଯୋଗେ ଓଡ଼ିଶା ସୀମାକୁ ଲୋକେ ପଶି ଆସିବାର ସମ୍ଭାବନା ଥିବାରୁ ସମସ୍ତ ମେରାଇନ୍‌ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ମେରାଇନ୍‌ ଥାନା ସହିତ ମିଶି ସ୍ଥାନୀୟ ଅଞ୍ଚଳରେ ଥିବା ସାଗର ସୂରକ୍ଷା ବାହିନୀ ମଧ୍ୟ ସମୁଦ୍ର ଦେଇ ଅନୁପ୍ରବେଶ ଉପରେ ତୀକ୍ଷଣ ନଜର ରଖିଛି ।

Leave A Reply

Your email address will not be published.