Latest Odisha News

କିଟରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: କିଟ୍‌ କ୍ୟାମ୍ପସ୍ ହଷ୍ଟେଲରେ ଜଣେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଛାତ୍ରକୁ ଗିରଫ କଲା ପୋଲିସ । ଛାତ୍ର ଜଣକ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ବୋଲି ଜଣାପଡିଛି । ସେ ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ବିମାନବନ୍ଦରରୁ ଛାତ୍ରକୁ ଗିରଫ କରିଛି ପୋଲିସ ।

ବର୍ତ୍ତମାନ ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ୍ସରେ ଟ୍ବିଟ୍ କରି ଲେଖିଛନ୍ତି ଯେ, ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଜଣ ଅଫିସର ଓଡ଼ିଶା ଆସୁଛନ୍ତି । ଏହା ସହିତ, ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ହଷ୍ଟେଲରେ ରହିବେ ନା ଘରକୁ ଫେରିବେ ବିକଳ୍ପ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ, ଏହି ଘଟଣା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ । ଏଥିସହ ସେ ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମନ୍ତ୍ରୀ କହିଛନ୍ତି, ବିଶ୍ବବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି । ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ । ସାଇନ ଡାଏ ଉଠିଛି, OSRTC ବସ୍‌ରେ ସେମାନଙ୍କୁ ଫେରାଇ ଅଣାଯିବ । ଭବିଷ୍ୟତରେ ଯେପରି ଧମକ ନ ମିଳେ, ସରକାର ଯତ୍ନବାନ ଅଛନ୍ତି ।

ତେବେ କିଟ୍ ବିଶ୍ୱବିଦ୍ୟାଳୟର ଆତ୍ମହତ୍ୟା ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଛାତ୍ରଛାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ, ଯାହା ଫଳରେ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହୋଇଥିଲା ଏବଂ ଉତ୍ତେଜନା ବୃଦ୍ଧି ପାଇଥିଲା ।

ଏହି ଅପ୍ରୀତିକର ଘଟଣା ରୋକିବା ସହ ଏକ ନିରପେକ୍ଷ ତଦନ୍ତ ଜାରି ରଖିବା ପାଇଁ, ନେପାଳୀ ଛାତ୍ରମାନଙ୍କୁ ପୋଲିସ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଭିଭାବକଙ୍କ ସହାୟତାରେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ନିଜ ନିଜ ସ୍ଥାନକୁ ଫେରିବାକୁ ପରାମର୍ଶ ଦିଆଯାଇଥିଲା । ପରେ ଛାତ୍ରାବାସର ଅସ୍ଥାୟୀ ନିଲମ୍ବନକୁ କିଟ୍‍ ପକ୍ଷରୁ ପ୍ରତ୍ୟାହାର କରି ନିଆଯିବା ସହ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି ପାଠପଢ଼ାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି । ଏହି ସମୟ ମଧ୍ୟରେ ସେମାନଙ୍କର ଶିକ୍ଷାଗ୍ରହଣରେ ଯେଭଳି କୌଣସି ବ୍ୟାଘାତ ସୃଷ୍ଟି ନ ହୁଏ ସେଥିପ୍ରତି ବିଶ୍ୱବିଦ୍ୟାଳୟ ପକ୍ଷରୁ ଯତ୍ନ ନିଆଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ କିଟ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

Comments are closed.