Latest Odisha News

BREAKING NEWS

ଛାତ୍ର ନେତାଙ୍କ ଛତ୍ରଛାୟାରେ ଜାଲ ସାର୍ଟିଫିକେଟ୍ କାରବାର ଅଭିଯୋଗରେ ପ୍ରତିବାଦ

ଭଦ୍ରକ: ଭଦ୍ରକରେ କିଏ ଯୋଗାଉଛି ଛାତ୍ରଙ୍କୁ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର? କେଉଁ ଆଧାରରେ ଚାଲିଥିଲା ଯୁକ୍ତ ୩ ଆଡ଼ମିଶନ? ଆଡ଼ମିଶନ ବେଳେ କାହିଁକି ସାର୍ଟିଫିକେଟ୍ ଯାଞ୍ଚ କଲେନି କଲେଜ କର୍ତ୍ତୃପକ୍ଷ? ନକଲି ସାର୍ଟିଫିକେଟରେ ଆଡମିଶନ ଚାଲିଥିବା ନେଇ କିଛି ଛାତ୍ର ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଏପରି ପ୍ରଶ୍ନ । କିଛି ହାତଗଣତି ପିଲା ଟାୟାର ଜାଳି ପ୍ରତିବାଦ କରିବା ପରେ ସାମ୍ନାକୁ ଆସିଛି ଏଭଳି ଜଘନ୍ୟ ଷଢଯନ୍ତ୍ର । ବାରମ୍ବାର ଅଭିଯୋଗ ପରେ ଶେଷରେ ଆରଟିଆଇ ରିପୋର୍ଟ ସାମ୍ନାକୁ ଆଣିଛି ସାଂଘାତିକ ସତ । ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଭିନ୍ନକ୍ଷମ କୋଟାରେ ବହୁ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ୮ଜଣଙ୍କ ଭିନ୍ନକ୍ଷମ ସାର୍ଟିଫିକେଟ୍ ଯାଂଚ କରିବାରୁ ସେଥିମଧ୍ୟରୁ ୬ ଜଣଙ୍କର ଭିନ୍ନକ୍ଷମ ପ୍ରମାଣପତ୍ର ଜାଲ ବୋଲି ଜଣାପଡ଼ିଥିଲା । ଏହି ରିପୋର୍ଟ ମିଳିବା ପରେ ଜାଲ ସାର୍ଟିଫିକେଟ ଜରିଆରେ ଆଡମିଶନ କରିଥିବା ଛାତ୍ରମାନେ ଶେଷରେ ମୁହଁ ଖୋଲିଛନ୍ତି ।

ନକଲି ଭିନ୍ନକ୍ଷମ ପ୍ରମାଣପତ୍ରରେ ନାମ ଲେଖାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଭିନ୍ନ ଛାତ୍ର ସଙ୍ଗଠନ । ଛାତ୍ରଛାତ୍ରୀଙ୍କ ନାଁରେ ଜାଲ ସାର୍ଟିଫିକେଟ୍ କରାଇଥିବା ସମ୍ପୃକ୍ତ ଶାସକ ଦଳର ଛାତ୍ରନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ଭଦ୍ରକ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ରାଷ୍ଟ୍ରୀୟ ଯୁବ ଛାତ୍ର ସଙ୍ଗଠନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଯେଉଁମାନେ ନକଲି ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରସ୍ତୁତ କରୁଛନ୍ତି ସେହିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୁରାତନ ଛାତ୍ର ।

ଛାତ୍ରଙ୍କ ପ୍ରତିବାଦ ଓ ଅଭିଯୋଗକୁ ଆଧାର କରି ଘଟଣାସ୍ଥଳରେ ପହଂଚିଥିଲେ ସ୍ଥାନୀୟ ତହସିଲଦାର । ଏ ବାବଦରେ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଛି । ପିଲାଙ୍କ ଭବିଷ୍ୟତକୁ ନେଇ ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

କିଛି ହାତଗଣତି ପୂର୍ବତନ ତଥା ସଦ୍ୟ ଛାତ୍ରନେତା କଲେଜ ଆଡମିସନକୁ ନେଇ ଚଳାଇଛନ୍ତି ହାଇପ୍ରୋଫାଇଲ ଦୁର୍ନୀତି । ଏ ନେଇ ଜାଲ୍ ସାର୍ଟିଫେକ୍ଟ ଜରିଆରେ ଆଡମିଶନ କିଛି ଛାତ୍ର କ୍ୟାମେରା ଆଗରେ ସ୍ୱୀକାର କରିଛନ୍ତି । ଏପରିକି କିଛି ଜଣାଶୁଣା ଛାତ୍ରନେତାଙ୍କ ନାଁ ସାମ୍ନାକୁ ମଧ୍ୟ ଆସିଛି । ସମସ୍ତ ପ୍ରମାଣ ଓ ଛାତ୍ରଙ୍କ ବୟାନ ସାମ୍ନାକୁ ଆସିଥିବାବେଳେ, ଦେଖାଯାଉ କଲେଜ ତଥା ଜିଲ୍ଲା ପ୍ରଶାସନ ଏହି ହାଇପ୍ରୋଫାଇଲ ଦୁର୍ନୀତିକୁ ନେଇ କେତେଦୂର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସଫଳ ହେଉଛି ।

Leave A Reply

Your email address will not be published.