Latest Odisha News

BREAKING NEWS

ହାର୍ ମାନିନି ମନୋବଳ, ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

ଯାଜପୁର: ପିଲା ବେଳୁ ଭିନ୍ନକ୍ଷମ । ତଥାପି ଜୀବନ ଯୁଦ୍ଧରେ ହାରିଯାଇ ନାହାନ୍ତି ସେ । ଆଜି ଜଣେ ସକ୍ଷମ ବ୍ୟକ୍ତି ହୋଇପାରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ଏ ହେଉଛନ୍ତି ଯାଜପୁର ବିଞ୍ଝାରପୁର ବ୍ଲକ ପ୍ରୀତିପୁର ଗାଁର ସୁବାସ ଚନ୍ଦ୍ର ପାତ୍ର । ଘର ପାଖରେ ଏକ ଫାଷ୍ଟ ଫୁଡ଼ ଦୋକାନ କରି ପରିବାର ଚଳାଉଛନ୍ତି ସୁବାସ । କିନ୍ତୁ ଭିନ୍ନକ୍ଷମ ଭତ୍ତାକୁ ଛାଡିଦେଲେ ଆଜି ପର୍ଯ୍ୟନ୍ତ ସୁବାସ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ।

ସୁବାସଙ୍କ ପରିବାର କହିଲେ ବାପା, ମାଆ , ଦୁଇ ପୁଅଝିଅ ଓ ଦିବ୍ୟାଙ୍ଗ ପତ୍ନୀ । ଆଜକୁ ଦୀର୍ଘ ୧୫ବର୍ଷ ହେବ ପ୍ରୀତିପୁର ମେଡିକାଲ ନିକଟରେ ବିନଦାସ ଫାଷ୍ଟଫୁଡ୍‌ ଆଣ୍ଡ ହୋଟେଲ ନାମକ ଏକ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି ସୁବାସ । ସୁବାସ ଭଳିକି ଭଳି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତିକରି ସମସ୍ତଙ୍କ ପ୍ରିୟପାତ୍ର ପାଲଟିଛନ୍ତି । ସୁବାସଙ୍କ ହାତତିଆରି ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥାଏ । ସୁବାସ  ଜଣେ  ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ହାର ମାନି ନାହାନ୍ତି ତାଙ୍କ କର୍ମକ୍ଷେତ୍ରରେ ।

ସୁବାସ ଜନ୍ମ ହେବାର ମାତ୍ର ୨୨ଦିନ ହୋଇଥିଲା । ମଶାରୀ ଭିତରେ ଶୋଇଥିବା ବେଳେ ହଠାତ୍ ଲ୍ୟାମ୍ପରୁ ନିଆଁ ଲାଗି ସୁବାସଙ୍କ ବାମହାତ ଓ ମୁଣ୍ଡ ପୋଡିଯାଇଥିଲା । ସେତେବେଳେ ଉନ୍ନତ ଚିକିତ୍ସା କରାଯାଇ ନପାରିବାରୁ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ବେଳେ ମୁଣ୍ଡରେ ଅଧା ଖପୁରୀ ନାହିଁ । ଗୋଟିଏ ହାତ ସାହାଯ୍ୟରେ ସମସ୍ତ ଦୈନଦିନ କାର୍ଯ୍ୟ କରିଆସିବା ସହ ସଫଳ ବ୍ୟବସାୟୀ ଟିଏ ହୋଇପାରିଛନ୍ତି ସୁବାସ ।

ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ କାହା ପାଖରେ ହାତ ନ ପତେଇ ଜଣେ ସ୍ୱାଭିମାନି ଭାବେ ନିଜ ଗୋଡରେ ଛିଡା ହୋଇ ପାରିଛନ୍ତି ସୁବାସ । ଭିନ୍ନକ୍ଷମ ଭତ୍ତାକୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ସୁବାସ । ତଥାପି ନିଜକୁ ଅକ୍ଷମ ମନେ ନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସେ । ସରକାରଙ୍କ ପକ୍ଷରୁ ଏପରି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯଦି  ଯୋଗାଇ ଦିଆଯାଆନ୍ତା ତାହାହେଲେ ସେମାନେ ଅଧିକ ରୁ ଅଧିକ ସ୍ୱାବଲମ୍ବୀ ହୋଇ ପାରନ୍ତେ ।

Leave A Reply

Your email address will not be published.