Latest Odisha News

BREAKING NEWS

ସୁଡାନରେ ସେନା ଓ ପାରାମିଲିଟାରୀ ମଧ୍ୟରେ ସଂଘର୍ଷ ଜାରି, ଏୟାର ଷ୍ଟ୍ରାଇକରେ ୨୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଶାନ୍ତ ହେଉଛି ସୁଡାନ। ଏଠାରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସୁଡାନ ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଗୋଟିଏ ସପ୍ତାହ ହେଲାଣି ସଂଘର୍ଷ ଚାଲିଆସୁଛି। ଏହି ସଂଘର୍ଷ ମଧ୍ୟରେ ସୁଡାନର ଓମଡୁରମନ ସହରରେ ଏକ ଏୟାର ଷ୍ଟ୍ରାଇକରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସପ୍ତାହବ୍ୟାପୀ ସଂଘର୍ଷରେ ଏହା ଏପର୍ଯ୍ୟନ୍ତ ସବୁଠାରୁ ବଡ ଆକ୍ରମଣ ବୋଲି ଜଣାପଡିଛି।

ଗତ କିଛି ସପ୍ତାହ ଧରି ସୁଡାନର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ସଂକ୍ଷିପ୍ତ ବିବୃତ୍ତିରେ କୁହାଯାଇଛି ଯେ ଏହି ଆକ୍ରମଣ ରାଜଧାନୀ ଖାର୍ତୁମ ପଡୋଶୀ ସହର ଓମଡୁରମନର ଏକ ଆବାସିକ ଅଞ୍ଚଳରେ ଘଟିଛି। ଏହି ଆକ୍ରମଣରେ ଆହତଙ୍କ ସଂଖ୍ୟା ସ୍ପଷ୍ଟ ଜଣା ପଡିନାହିଁ। ରାଜଧାନୀର ସହରାଞ୍ଚଳ ତଥା ସୁଡାନର ଅନ୍ୟାନ୍ୟ ସ୍ଥାନରେ ସେନା ଏବଂ ପାରାମିଲିଟାରୀ ଗୋଷ୍ଠୀ ମଧ୍ୟରେ ଏହି ମର୍ମନ୍ତୁଦ ସଂଘର୍ଷ ଚାଲିଛି।

ଉଲ୍ଲେଖନୀୟ କଥା ହେଉଛି, ଗତ ମାସରେ ମଧ୍ୟ ଖାର୍ତୁମରେ ଏକ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏହି ଆକ୍ରମଣରେ ୫ ଶିଶୁଙ୍କ ସମେତ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେନା ଏବଂ ପାରାମିଲିଟାରୀ ମଧ୍ୟରେ ଏହି ଯୁଦ୍ଧ ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିଲା। ସେନା କମାଣ୍ଡର ଜେନେରାଲ ଅବଦେଲ-ଫତ୍ତହ-ବୁରହାନ ଏବଂ ଆରଏସଏଫର ମୁଖ୍ୟ ଜେନେରାଲ ମହମ୍ମଦ ହମଦାନ ଡଗଲୋଂ ମଧ୍ୟରେ ଏହି ବିବାଦ ଚାଲିଛି। ଉଭୟ ଜେନେରାଲ ବୁରହାନ ଏବଂ ଜେନେରାଲ ଡଗଲୋଂ ପୂର୍ବରୁ ଏକାଠି ଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୁଡାନରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୯୫୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଯୁଦ୍ଧର କାରଣ ଯୋଗୁଁ ପଡୋଶୀ ଦେଶ ନିଜର ସୀମା ବନ୍ଦ କରିଦେଇଛନ୍ତି ଏବଂ ବିଶ୍ୱର ବିଭିନ୍ନ ଦେଶର ନାଗରିକ ଯିଏ ସୁଡାନରେ ଫସି ରହିତିଲେ, ସେମାନଙ୍କୁ ମଧ୍ୟ ନିଜ ଦେଶକୁ ଫେରାଇ ଆଣିଛି। ସୂଚନା ଅନୁଯାୟୀ, ଏହି ଯୁଦ୍ଧ ଯୋଗୁଁ ୨୯ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଏଥିମଧ୍ୟରୁ ୭ ଲକ୍ଷ ଲୋକେ ସୁଡାନ ଛାଡିଛନ୍ତି।

Leave A Reply

Your email address will not be published.