Latest Odisha News

ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିଲେ ଓଡିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇପାରିବ

ଭୁବନେଶ୍ୱର : ଭାରତରେ ପ୍ରତିଦିନ ୫୦ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହୋଇଥାଏ । ଓଡିଶାରେ ୬୦ ରୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଯାହାକି ଜାତୀୟ ହାରର ମାତ୍ର ୧.୨୫ ପ୍ରତିଶତ । ଯଦି ରାଜ୍ୟରେ ଚାଷୀମାନଙ୍କୁ ଯଦି ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଏ ତେବେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରାଯାଇପାରିବ ବୋଲି ମତ ଦେଇଛନ୍ତି ଅମୁଲର ବରିଷ୍ଠ ଜେନେରାଲ ମ୍ୟାନେଜର ମନୋରଂଜନ ପାଣି ।

ଓଡିଶା କର୍ପୋରେଟ୍ ଫାଉଣ୍ଡେସନ ପକ୍ଷରୁ ରବିବାର ‘ଓଡିଶାରେ ଦୁଗ୍ଧ ଚାଷରେ ସୁଯୋଗ ଏବଂ ପରିସର’ ବିଷୟବସ୍ତୁ ଉପରେ ଆୟୋଜିତ ୱେବିନାରେ ଆଲୋଚନା ବେଳେ ଶ୍ରୀ ପାଣି ଏହି ମତ ଦେଇଛନ୍ତି । ଏଥିରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଟେକ୍ନୋକମ ସଲ୍ୟୁସନର ପରିଚାଳନା ନିର୍ଦ୍ଦେଶକ ମନୋଜ ସାହୁ, ସନ୍ଧ୍ୟାରାଣୀ ଡାଏରୀର ନିର୍ଦ୍ଦେଶକ ଶକ୍ତିପ୍ରସାଦ ସାମନ୍ତ, ଗଞ୍ଜାମ ମମତା ଡାଏରୀର ନିର୍ଦ୍ଦେଶକ ବିମଲ କୁମାର ଚୌଧୁରୀ, ମିଲ୍କ ମନ୍ତ୍ରାର ପ୍ରଡକ୍ସନ ମ୍ୟାନେଜର ବିଶ୍ୱଜିତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ଗଞ୍ଜାମର ଯୁବ ଉଦ୍ୟୋଗୀ ତଥା ମମତା ଡାଏରୀର ନିର୍ଦ୍ଦେଶକ ବିମଲ କୁମାର ଚୌଧୁରୀ କହିଥିଲେ, ‘ଜଣେ ଦୁଗ୍ଧ ଚାଷୀ ଦୁଗ୍ଧ ବିକିବା ଅପେକ୍ଷା ଦୁଗ୍ଧ ଜାତୀୟ ଉତ୍ପାଦ ପ୍ରସ୍ତୁତ କରି ବିକ୍ରି କଲେ ଅଧିକ ଲାଭବାନ ହୋଇପାରିବ । ’ ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କ କୃଷୀ ଉଦ୍ୟୋଗ ଯୋଜନା ମାଧ୍ୟମରେ ଜଣେ ଚାଷୀ କିପରି ଲାଭବାନ ହୋଇପାରିବେ ଏବଂ କି କି ସୁବିଧା ପାଇପାରିବ ସେ ନେଇ ଆଲୋଚନା କରିଥିଲେ ।

ପ୍ୟାକେଜିଙ୍ଗର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ଟେକ୍ନୋକମ ସଲ୍ୟୁସନର ପରିଚାଳନା ନିର୍ଦ୍ଦେଶକ ମନୋଜ ସାହୁ ନିଜର ମତ ଦେଇଥକରିଥିଲେ । ସେ କହିଥିଲେ, ‘ପ୍ରତିଟି ଉତ୍ପାଦର ପ୍ୟାକେଜିଙ୍ଗ ଆଖିଦୃଶିଆ ହେବାର ଆବଶ୍ୟକତା ରହିଛି । ଏଥି ସହ ଖାଦ୍ୟର ମାନ କିପରି ଖରାପ ନ ହେବ ତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।’

ଆମେ ଯେତେବେଳେ କୌଣସି ବ୍ୟବସାୟ ଆରମ୍ଭ କରିଥାଏ, ପ୍ରଥମେ ଆମେ ବଜାର ଚାହିଦା, ଆବଶ୍ୟକତା ଆଦିକୁ ଧ୍ୟାନ ଦେବା ସହିତ ଉତ୍ପାଦର ଗୁଣବତାକୁ ବଜାୟ ରଖିବା ଆବଶ୍ୟକ । ଯେଉଁଠି ସ୍କୋପ କମ୍ ଥାଏ ସେଠାରେ ସୁଯୋଗ ମଧ୍ୟ ଅଧିକ ଥାଏ ବୋଲି ସନ୍ଧ୍ୟାରାଣୀ ଡାଏରୀର ନିର୍ଦ୍ଦେଶକ ଶକ୍ତିପ୍ରସାଦ ସାମନ୍ତ ମତ ଦେଇଥିଲେ ।

ଆଲୋଚନା ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା । ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମୁଖ୍ୟବକ୍ତା ଏବଂ ଅନ୍ୟ ଅତିଥିମାନେ ରଖିଥିଲେ ।

Leave A Reply

Your email address will not be published.