Latest Odisha News

BREAKING NEWS

ଗଡ଼ିଲା ‘ଆମ ସୁନ୍ଦରଗଡ଼’ ସଚେତନତା ରଥ

ସୁନ୍ଦରଗଡ : ସୁନ୍ଦରଗଡ଼ ଜିଲ୍ଲାର ଲୋକଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ ସଚେତନ କରିବା ପାଇଁ ଗଡ଼ିଲା ‘ଆମ ସୁନ୍ଦରଗଡ଼’ ସଚେତନତା ରଥ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ଏହି ରଥର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତ ସ୍ତରକୁ ଯାଇ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, 5T ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସହିତ ମାତୃଜ୍ୟୋତି, ପୋଷଣ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ । ଲୋକେ ଭିଡିଓ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସିଧାସଳଖ ଜାଣିବାର ସୁଯୋଗ ପାଇବେ ।

ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଚାଲିଛି । ଏ ସମ୍ପର୍କରେ ଜନସାଧାରଣଙ୍କୁ ଅଧିକ ସୂଚନା ଦେବା ପାଇଁ ଏହି ରଥ ବିଭିନ୍ନ ଗାଁକୁ ଯିବ । ଭିଡିଓ ମାଧ୍ୟମରେ ଲୋକଙ୍କୁ ସଚେତନ କରିବ । ପ୍ରାୟ ଏକ ମାସ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ବିଶେଷକରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମିଳୁଥିବା ସୁବିଧା ଏବଂ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।

ସେହିପରି ବଣାଇଁ ଉପଖଣ୍ଡର ବିଭିନ୍ନ ଗାଁରେ ଲୋକଙ୍କୁ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରିବା ପାଇଁ ଲହୁଣୀପଡ଼ା ବ୍ଲକରୁ ଆଉ ଏକ ସଚେତନତା ରଥ ଗଡ଼ିବ । ସୁନ୍ଦରଗଡ଼ରେ ରଥ ଶୁଭାରମ୍ଭ ବେଳେ ଜିଲ୍ଲାପାଳଙ୍କ ସହିତ ଏଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁଚରଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୪ ଲକ୍ଷ ୩୭ ହଜାର ପରିବାରର ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

Leave A Reply

Your email address will not be published.