Latest Odisha News

BREAKING NEWS

ମୃତ୍ୟୁର ଫାଶ ପାଲଟିଛି ସୁନ୍ଦରଗଡ଼ର ରାସ୍ତାଘାଟ: ୬ ମାସରେ ସଡ଼କ ଦୁର୍ଘଟଣାରେ ଗଲାଣି ୨୬୪ ଜୀବନ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଏବେ ସଡ଼କ ଦୁର୍ଘଟଣାର ଏକ ପ୍ରମୁଖ ହଟସ୍ପଟ୍ ବା କେନ୍ଦ୍ର ପାଲଟିଛି। ପ୍ରଶାସନ ପକ୍ଷରୁ କ୍ରମାଗତ ଯାଞ୍ଚ ଏବଂ ସଚେତନତା ସତ୍ତ୍ୱେ ଜିଲ୍ଲାରେ ପ୍ରତିଦିନ ଅନେକ ଅମୂଲ୍ୟ ଜୀବନ ଅକାଳରେ ଝରିପଡ଼ୁଛି। ସରକାରୀ ତଥ୍ୟ ଅନୁଯାୟୀ, କେବଳ ଗତ ୬ ମାସ ଭିତରେ ସମଗ୍ର ଜିଲ୍ଲାରେ ୨୬୪ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ୫୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ବର୍ତ୍ତମାନ ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ରାସ୍ତାଘାଟ ଆହୁରି ବିପଦପୂର୍ଣ୍ଣ ହୋଇପଡ଼ିଛି, ଯାହାକି ଯାତ୍ରୀମାନଙ୍କ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି।

ବିଶେଷ କରି ଜିଲ୍ଲାର ଖଣିଜ ସମୃଦ୍ଧ କୋଇଡ଼ା ଅଞ୍ଚଳରେ ସ୍ଥିତି ସବୁଠାରୁ ଉଦ୍‌ବେଗଜନକ ରହିଛି। ଲୁହାପଥର ଖଣି ହବ୍ ଭାବେ ପରିଚିତ ଏହି ଅଞ୍ଚଳରେ ଭାରୀଯାନ ଓ ଟ୍ରକ୍‌ଗୁଡ଼ିକ ଯୋଗୁଁ ପ୍ରତିଦିନ ସାଂଘାତିକ ଦୁର୍ଘଟଣା ଘଟୁଛି। କେତେବେଳେ ଲୁହାପଥର ବୋଝେଇ ଟ୍ରକ୍ ପୋଲ ତଳକୁ ଖସିପଡ଼ୁଛି ତ ଆଉ କେତେବେଳେ କାର୍ ଏବଂ ବାଇକ୍ ସହ ଏହାର ମୁହାଁମୁହିଁ ଧକ୍କା ହେଉଛି। ପରିସ୍ଥିତି ଏପରି ହେଉଛି ଯେ ଅନେକ ସମୟରେ ଅଗ୍ନିଶମ ବାହିନୀକୁ ଗାଡ଼ି କାଟି ଲୋକଙ୍କୁ ଉଦ୍ଧାର କରିବାକୁ ପଡ଼ୁଛି। ୨୦୨୨ ରୁ ୨୦୨୬ ମସିହା ମଧ୍ୟରେ କେବଳ କୋଇଡ଼ା ଅଞ୍ଚଳରେ ଦୁର୍ଘଟଣା ଜନିତ ମୃତ୍ୟୁସଂଖ୍ୟା ୧୦୦ ପାର୍ କରିଥିବା ବେଳେ ଆହତଙ୍କ ସଂଖ୍ୟା ୧୦୦୦ ଟପିଛି।

ଏଭଳି ବୃଦ୍ଧି ପାଉଥିବା ଦୁର୍ଘଟଣା ହାର ପାଇଁ ସ୍ଥାନୀୟ ବାସିନ୍ଦାମାନେ ଖଣି ଅଞ୍ଚଳରେ ପାର୍କିଂ ବ୍ୟବସ୍ଥାର ଅଭାବ, ଅବ୍ୟବସ୍ଥିତ ଟ୍ରାଫିକ୍, ବେପରୁଆ ଗାଡ଼ିଚାଳନା ଏବଂ ବେଆଇନ ରାସ୍ତାପାର୍ଶ୍ୱ ଗ୍ୟାରେଜ୍‌କୁ ମୁଖ୍ୟତଃ ଦାୟୀ କରିଛନ୍ତି। ସ୍ଥାନୀୟ ବାସିନ୍ଦା କୃଷ୍ଣଚନ୍ଦ୍ର ବାରିକଙ୍କ କହିବା ଅନୁଯାୟୀ, କୋଇଡ଼ାରେ ଏକାଧିକ ଖଣି ଥିବାରୁ ପ୍ରତିଦିନ ଶହ ଶହ ହାଇୱା ଏବଂ ଅନ୍ୟାନ୍ୟ ଭାରୀଯାନ ଚଳାଚଳ କରୁଛି, କିନ୍ତୁ ପାର୍କିଂ ପାଇଁ ଉପଯୁକ୍ତ ସ୍ଥାନ ନଥିବାରୁ ସେଗୁଡ଼ିକ ରାସ୍ତା କଡ଼ରେ ଠିଆ ହେଉଛି। ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଉପଯୁକ୍ତ ପାର୍କିଂ ସ୍ଥାନ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ କୋଇଡ଼ା ବାଇପାସ୍ ଏବଂ କୋଇଲା କରିଡର୍ ନିର୍ମାଣ ସତ୍ତ୍ୱେ ଜାତୀୟ ରାଜପଥ ୫୨୦ରେ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି। ଏହାବ୍ୟତୀତ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ଚୁନାଘାଟି ଭଳି ସ୍ଥାନ ଦୁର୍ଘଟଣାପ୍ରବଣ ‘ବ୍ଲାକ୍ ସ୍ପଟ୍’ ପାଲଟିଛି। କେବଳ କୋଇଡ଼ା ନୁହେଁ, ବରଂ ହେମଗିରି, କୁତ୍ରା, ରାଜଗାଙ୍ଗପୁର, ବଣାଇ ଏବଂ ରାଉରକେଲାରେ ମଧ୍ୟ ହଜାର ହଜାର ଟ୍ରକ୍ ଯାତାୟାତ କରୁଥିବାରୁ ସମାନ ସ୍ଥିତି ଦେଖିବାକୁ ମିଳୁଛି।

ଏହି ପ୍ରସଙ୍ଗରେ ଡିଆଇଜି ବ୍ରିଜେଶ ରାୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଗତବର୍ଷ ଜାନୁଆରୀରୁ ଜୁନ୍ ତୁଳନାରେ ଚଳିତ ବର୍ଷ ସମାନ ସମୟରେ ମୃତ୍ୟୁସଂଖ୍ୟା କିଛି ମାତ୍ରାରେ ହ୍ରାସ ପାଇଛି। ତଥାପି ବିପଦପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଅତ୍ୟନ୍ତ ସତର୍କତାର ସହ ଗାଡ଼ି ଚଳାଇବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ର୍ଘଟଣା ରୋକିବା ପାଇଁ ପୋଲିସକୁ ପାଟ୍ରୋଲିଂ ବଢ଼ାଇବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.