ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ତଥା ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ସମ୍ବେଦନଶୀଳ ଘଟଣାରେ ସମ୍ପୃକ୍ତ ଥିବା ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତକାରୀ ସଂସ୍ଥା ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଏକ ୭୬୭ ପୃଷ୍ଠା ସମ୍ବଳିତ ବିସ୍ତୃତ ଚାର୍ଜସିଟ୍ ବା ଅଭିଯୋଗପତ୍ର ଦାଖଲ କରିଛି।
ସିଆଇଡି-କ୍ରାଇମବ୍ରାଞ୍ଚର ଡିଏସପି ତଥା ତଦନ୍ତକାରୀ ଅଧିକାରୀ ରତ୍ନପ୍ରଭା ଶତପଥୀ ଏହି ଅଭିଯୋଗପତ୍ର ଦାଖଲ କରିଛନ୍ତି। ଏହି ମାମଲାରେ ପୋଲିସ ମୋଟ ୨୦ ଜଣଙ୍କୁ ଗିରଫ କରିଥିବା ବେଳେ ବଳିଷ୍ଠ ବୈଜ୍ଞାନିକ ତଥା ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ପ୍ରାଥମିକ ପର୍ଯ୍ୟାୟରେ ଏହି ୧୧ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।
ସୂଚନାଯୋଗ୍ୟ ଯେ, ଗତ ମେ’ ୭ ତାରିଖରେ ବାଲିଅନ୍ତା ଥାନା ଅଧୀନସ୍ଥ ଭିଙ୍ଗାରପୁର-କଜା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ପୋଲିସର ରିପୋର୍ଟ ଅନୁଯାୟୀ, କନଷ୍ଟେବଳ ସୌମ୍ୟ ରଞ୍ଜନ ଏବଂ ତାଙ୍କ ସହଯୋଗୀ ଓମ୍ ପ୍ରକାଶ ରାଉତ ଏକ ବାଇକ୍ରେ ଯାଉଥିବା ବେଳେ ଦୁଇ ଜଣ ମହିଳାଙ୍କ ସ୍କୁଟି ସହ ସେମାନଙ୍କର ଧକ୍କା ହୋଇଥିଲା। ଏହାପରେ ବିବାଦ ଉଗ୍ର ରୂପ ନେଇଥିଲା ଏବଂ ସୌମ୍ୟ ଉକ୍ତ ମହିଳାମାନଙ୍କୁ ଆକ୍ରମଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଆଇନକୁ ନିଜ ହାତକୁ ନେଇଥିଲେ ଏବଂ ତାଙ୍କୁ ସଂଘବଦ୍ଧ ଭାବେ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ତାଙ୍କ ଶରୀରରେ ୨୧ଟି ବାହ୍ୟ ଆଘାତ ଥିଲା ଏବଂ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ରକ୍ତ ଜମାଟ ବାନ୍ଧି ତାଙ୍କର ପ୍ରାଣହାନି ଘଟିଥିଲା।
କ୍ରାଇମବ୍ରାଞ୍ଚ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟରେ ନୂତନ ଆଇନ ‘ଭାରତୀୟ ନ୍ୟାୟ ସଂହିତା’ (BNS) ର ଏକାଧିକ ସଙ୍ଗୀନ ଦଫା ଯଥା- ୧୦୩(୧), ୧୯୧(୨), ୧୯୧(୩), ୧୮୯(୪), ୧୯୦ ଏବଂ ୧୨୭(୨) ଲଗାଯାଇଛି। ଅନ୍ୟପକ୍ଷରେ, ଗିରଫ ହୋଇଥିବା ବାକି ୯ ଜଣଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ଆକ୍ରମଣରେ ସକ୍ରିୟ ଭାବେ ସାମିଲ ଥିବାର କୌଣସି ଠୋସ୍ ପ୍ରମାଣ ମିଳିନଥିବାରୁ ସେମାନଙ୍କ ନାମ ପ୍ରାଥମିକ ଚାର୍ଜସିଟରେ ସାମିଲ କରାଯାଇନାହିଁ। ତେବେ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ର ଧାରା ୧୯୩(୯) ଅନୁଯାୟୀ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଖୋଲା ରଖାଯାଇଛି।
ଆଗାମୀ ଦିନରେ ଅଧିକ ତଥ୍ୟ ଏବଂ ଫରେନ୍ସିକ୍ ରିପୋର୍ଟ ହସ୍ତଗତ ହେଲେ ଅତିରିକ୍ତ ବା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି।