Latest Odisha News

BREAKING NEWS

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ: ୨୨ ବର୍ଷ ବିଚାର ପରେ ତିନି ବର୍ଷ ଜେଲ୍

ପରଳାଖେମୁଣ୍ଡିରେ ୧୯୯୭ ମସିହାରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ୨୦୦୦ ମାର୍ଚ୍ଚ ୩୧ ରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଥିଲା।

ବ୍ରହ୍ମପୁର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲା ଆସିକା ଯୋଗାଣ ନିରୀକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ରଙ୍କୁ ୩ ବର୍ଷ କାରା ଦଣ୍ଡାଦେଶ ହୋଇଛି।

ବ୍ରହ୍ମପୁର ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଲୁନା ମହାନ୍ତି ଦୀର୍ଘ ବର୍ଷ ଧରି ଚାଲୁ ରହିଥିବା ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି।

ଯୋଗାଣ ନିରୀକ୍ଷକଙ୍କୁ ୩ ବର୍ଷ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି ଜଷ୍ଟିସ ଲୁନା ମହାନ୍ତି। ଜୋରିମାନା ଅନାଦେୟ ଅତିରିକ୍ତ ୬ ମାସ କାରାଦଣ୍ଡ।

ସୂଚନାଥାଉକି, ଗଜପତି ଜିଲା ପରଳାଖେମୁଣ୍ଡିରେ ୧୯୯୭ ମସିହାରେ ଯୋଗାଣ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।

ସେହି ବର୍ଷ ଡିସେମ୍ବର ୩ ତାରିଖରେ ଯୋଗାଣ ନିରୀକ୍ଷକ ପାତ୍ରଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସ ତରଫରୁ ଚଢଉ କରାଯାଇଥିଲା। ଚଢଉ ବେଳେ ପାତ୍ରଙ୍କ ନିକଟରେ ଥିବା ମୋଟ ୭ଲକ୍ଷ ୭୪ହଜାର ୫୯୨ ଟଙ୍କାର ସମ୍ପତ୍ତି ଠାବ କରାଯାଇଥିଲା। ସେଥିରୁ ୩ ଲକ୍ଷ ୫୩ ହଜାର ୯୬୨ ଟଙ୍କା ଆୟ ବର୍ହିଭୂତ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଥିଲା।

ଏ ନେଇ ପାତ୍ରଙ୍କ ବିରୋଧରେ ଭିଜିଲାନ୍ସରେ କେସ ନଂ ୬୭/୯୭ରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୦ ମାର୍ଚ୍ଚ ୩୧ ରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଥିଲା।

ଶନିବାର ଏହି ମାମଲାର ବିଚାର ବେଳେ ପାତ୍ରଙ୍କୁ ଅଦାଲତରେ ହାଜର କରାଯାଇଥିଲା। ସାକ୍ଷୀଙ୍କ ବୟାନ ଓ ଚାର୍ଜସିଟକୁ ଭିତ୍ତି କରି ଉପଯୁକ୍ତ ପ୍ରମାଣ ଥିବା ଦର୍ଶାଇ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ପିପି ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

Leave A Reply

Your email address will not be published.