ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ମାମଲାରେ ଦାୟର ହୋଇଥିବା ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ । ଏହା ସହ ଆବେଦନକାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଯିବାକୁ ଦେଲେ ନିର୍ଦ୍ଦେଶ । ସୁପ୍ରିମକୋର୍ଟ ଏହି ଦଳାଚକଟାକୁ ଏକ “ଦୁର୍ଭାଗ୍ୟଜନକ ଘଟଣା” ବୋଲି କହିଛନ୍ତି ।
ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାରେ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ଏକ ଆବେଦନ ପୂର୍ବରୁ ଦାଖଲ କରାଯାଇଛି । ତେଣୁ ଉକ୍ତ ଆବେଦନର ଶୁଣାଣି ସର୍ବୋଚ୍ଚ ଅଦାଲତରେ କରାଯିବା ଉଚିତ ନୁହେଁ । ଆବେଦନକାରୀ ତଥା ଆଇନଜୀବୀ ବିଶାଲ ତିୱାରୀଙ୍କୁ ଆଲ୍ଲାହାବାଦ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟାରେ ୩୦ ଜଣଙ୍କ ଜୀବନ ଯାଇଥିଲା । ଯାହାକୁ ନେଇ ଆଇନଜୀବୀ ବିଶାଲ ତିୱାରୀ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଦଳାଚକଟା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଏକ ଷ୍ଟାଟସ ରିପୋର୍ଟ ଅଦାଲତରେ ଦାଖଲ କରାଯିବା ସହିତ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଆଇନଜୀବୀଙ୍କ ପକ୍ଷରୁ ପିଟିସନରେ ଦାବି କରାଯାଇଥିଲା ।
Comments are closed.