Latest Odisha News

ବାଙ୍କେ ବିହାରୀ ମନ୍ଦିର କରିଡର ପ୍ରକଳ୍ପକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ମନ୍ଦିର ପାଣ୍ଠି କରାଯିବ ବ୍ୟବହାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଉତ୍ତରପ୍ରଦେଶ ସରକାରଙ୍କୁ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ପାଇଁ ମନ୍ଦିର ପାଣ୍ଠି ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ରାଜ୍ୟ ସରକାରଙ୍କୁ ମନ୍ଦିର ଚାରିପାଖରେ ୫ଏକର ଜମି ଅଧିଗ୍ରହଣ କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି।

ଜଷ୍ଟିସ ବେଲା ଏମ ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ସହ ଏକ ସର୍ତ୍ତ ରଖିଛନ୍ତି ଯେ, କ୍ରୟ କରାଯାଉଥିବା ଜମି ମନ୍ଦିରର ଦେବତା ଶ୍ରୀ ବାଙ୍କେ ବିହାରୀଙ୍କ ନାମରେ ରେଜିଷ୍ଟର୍ଡ ହେବ।

ଖଣ୍ଡପୀଠ ତାଙ୍କ ଆଦେଶରେ ଲେଖିଛନ୍ତି ଯେ ଐତିହାସିକ ମନ୍ଦିର ଏକ ପୁରୁଣା ସଂରଚନା ଅଟେ । ତେଣୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ମଜବୁତ ସର୍ପୋଟର ଆବଶ୍ୟକ। ମଥୁରା ଏବଂ ବୃନ୍ଦାବନ ଐତିହାସିକ ଏବଂ ପୌରାଣିକ ସହର। ଅଧିକାଂଶ ଧାର୍ମିକ ଗ୍ରନ୍ଥରେ ସେମାନଙ୍କର ବର୍ଣ୍ଣନା ମିଳିଥାଏ। ବର୍ଷସାରା ଏଠାକୁ ଲକ୍ଷ ଲକ୍ଷ ଦେଶୀ ଏବଂ ବିଦେଶୀ ଭକ୍ତ ଏବଂ ପର୍ଯ୍ୟଟକ ଆସିଥାନ୍ତି। ଐତିହାସିକ ମନ୍ଦିରଗୁଡ଼ିକୁ ପରିଦର୍ଶନ କରିବା ଏବଂ ଭଗବାନ କୃଷ୍ଣ ଏବଂ ଅନ୍ୟାନ୍ୟ ଦେବତାଙ୍କ ଆଶୀର୍ବାଦ ପାଇବା ପାଇଁ ଏଠାରେ ତୀର୍ଥଯାତ୍ରୀଙ୍କ ଏକ ଭିଡ଼ ଜମୁଛି।ମଥୁରା ଏବଂ ବୃନ୍ଦାବନ ତୀର୍ଥସ୍ଥଳରେ ବହୁ ସଂଖ୍ୟକ ଭକ୍ତଙ୍କୁ ଦୃଷ୍ଟିରେ ରଖି, ପ୍ରଶସ୍ତ ରାସ୍ତା, ପାର୍କିଂ ସ୍ଥାନ, ଧର୍ମଶାଳା, ହସ୍ପିଟାଲ ଏବଂ ଅନ୍ୟାନ୍ୟ ସାର୍ବଜନୀନ ସୁବିଧାର ଆବଶ୍ୟକତା ରହିଛି।
ଉତ୍ତର ପ୍ରଦେଶ ରାଜ୍ୟ ଦ୍ୱାରା ଗଠିତ ଟ୍ରଷ୍ଟ ପୂର୍ବରୁ ମଥୁରା ଏବଂ ବୃନ୍ଦାବନ କରିଡରର ବିକାଶ ପାଇଁ ବହୁତ ଭଲ କାମ କରୁଛି ଏବଂ ଉତ୍ତର ପ୍ରଦେଶ ବ୍ରଜ ଯୋଜନା ଏବଂ ବିକାଶ ବୋର୍ଡ ଆଇନ, ୨୦୧୫, ଉଭୟ ସହରର ଐତିହାସିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ବିକାଶ ପାଇଁ ବ୍ୟବସ୍ଥା କରିଛି।

ଏହି ନିଷ୍ପତ୍ତି ଇଲାହାବାଦ ହାଇକୋର୍ଟଙ୍କ ୮ ନଭେମ୍ବର ୨୦୨୩ର ଆଦେଶକୁ ପରିବର୍ତ୍ତନ କରିଛି, ଯେଉଁଥିରେ ମନ୍ଦିର ପାଣ୍ଠି ବ୍ୟବହାର କରି ଜମି କ୍ରୟ ଉପରେ ରୋକ ଲଗାଯାଇଥିଲା। ସୁପ୍ରିମକୋର୍ଟଙ୍କ ଏହି ରାୟ ୨୦୨୨ରେ ବାଙ୍କେ ବିହାରୀ ମନ୍ଦିରରେ ହୋଇଥିବା ଭିଡ଼ ଜନିତ ଦୁର୍ଘଟଣା ଏବଂ ବ୍ରଜ ଅଞ୍ଚଳର ମନ୍ଦିରଗୁଡ଼ିକରେ ଖରାପ ପରିଚାଳନା ଆଦି ଘଟଣାକୁ ଦୃଷ୍ଟିରେ ରଖି ଆସିଛି।

ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନା କାଶୀ ବିଶ୍ୱନାଥ ମନ୍ଦିର କରିଡରର ଆଦର୍ଶରେ ନିର୍ମିତ ହେବ।

ଯୋଜନା ଅନୁଯାୟୀ, ରାଜ୍ୟ ସରକାର ଏହି ପ୍ରସିଦ୍ଧ ମନ୍ଦିର ଚାରିପାଖରେ ୫ଏକର ଜମି ଅଧିଗ୍ରହଣ କରିବେ। କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳରେ ପ୍ରାୟ ତିନିଶହ ମନ୍ଦିର ଏବଂ ଆବାସିକ କୋଠା ଅଛି, ଯେଉଁଠାରେ ଲୋକମାନେ ଶହ ଶହ ବର୍ଷ ଧରି ବସବାସ କରିଆସୁଛନ୍ତି, ଯାହାକୁ ଏବେ ଭାଙ୍ଗିବାକୁ ପଡିବ।ସରକାର କହିଛନ୍ତି ଯେ, କରିଡର ନିର୍ମାଣ ଦ୍ୱାରା ଭକ୍ତଙ୍କ ଯାତାୟାତରେ ସାହାଯ୍ୟ ମିଳିବ। ଏହି ଅଞ୍ଚଳର ଉପଯୁକ୍ତ ବିକାଶ ସହିତ, ଏଠାକୁ ଅଧିକ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଆସିବେ ବୋଲି ମଧ୍ୟ ଆଶା କରାଯାଉଛି। କୋର୍ଟ ଏବଂ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଞ୍ଚଳରେ ଅନେକ ସର୍ଭେ କରାଯାଇଛି।

 

Comments are closed.