ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ତାତ୍ୱିଜ ବିଭବର ଆଲୋଚନା ପ୍ରସଙ୍ଗରେ ଆମେ ଚର୍ଚ୍ଚା କରୁଥିଲେ ଶରୀର ତତ୍ୱ ସମ୍ବନ୍ଧରେ। ଯେଉଁଥିରେ ସଂଖ୍ୟା ତତ୍ୱ ସହିତ ଶରୀରକୁ ଏକ ବୃକ୍ଷ ସହିତ ତୁଳନା କରାଯାଇଥିଲା। ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରର କେଉଁ ଅଂଶକୁ ବୃକ୍ଷର କେଉଁ ଅଂଶ ସହ ସମାନ କରାଯାଇଛି। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ “ମୁନି ବୋଲନ୍ତି ରାୟେ ଶୁଣ
ଦେହେ କହିବା ବୃକ୍ଷ ଗୁଣ।।
ବୃକ୍ଷର ପ୍ରାୟେ ଦେହ ଏକ।
ଫଳ ଯୋଡିଏ ଦୁଃଖ ସୁଖ।।
ତାମସ ରଜ ସତ୍ୱ ଗୁଣ ।
ଏହାର ମୂଳ ଟି ପ୍ରମାଣ।।
ଧର୍ମ ଅର୍ଥ ଯେ କାମ ମୋକ୍ଷ।
ଏ ଚାରି ରସ ଟି ପ୍ରତ୍ୟକ୍ଷ।।
ଶବଦ ରୂପ ରସ ଗନ୍ଧ।
ସ୍ମରଣ ପଞ୍ଚ ମୂଳ ଛନ୍ଦ।।
ଜନ୍ମ ହୋଇଣ ଦେହ ବହି।
ବାଳୁତ ରୁପେଣ ବଢ଼ଇ।।
ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ।
ଆତ୍ମ ବିକାର ଷଢ଼ ହେତୁ।।
ଚର୍ମ ଶୋଣିତ ମାଂସ ମେଦ।
ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ।।
ସପତ ବକଳ ଏହାର।
ମୁନି କହନ୍ତି ଜ୍ଞାନ ସାର।
ଭୁଜଳ ଅନଳ ସମୀର।
ଖ ମନ ବୁଦ୍ଧି ଅହଂକାର।।
ଏ ଅଷ୍ଟ ଡାଳ ଟି ଏହାର।
ନବମ ଛିଦ୍ର ନବ ଦ୍ୱାର।।
ଦଶ ଇନ୍ଦ୍ରିୟ ପତ୍ର ଲେଖି।
ଜୀବ ପରମ ବେନି ପକ୍ଷୀ।।
ଏମନ୍ତେ ବୃକ୍ଷ ରୂପ ବହି।
ଉଶ୍ୱାସ କର ନାଥ ମହୀ।।
ଅତ୍ୟନ୍ତ ସରଳ ଭାଷାରେ ଲିଖିତ ଏହି ତତ୍ୱର ଦାର୍ଶନିକ ବିସ୍ଲେସଣ କିନ୍ତୁ ଏତେ ସହଜ ନୁହେଁ। ଏହି ବ୍ୟାଖ୍ୟାରେ ଗୋଟିଏ ବିଜ୍ଞାନ ସମ୍ମତ କଥା ଆମେ ଜାଣିଲେ ପ୍ରାଣୀ ଜଗତ ଓ ଉଦ୍ଭିଦ ଜଗତ ଉଭୟ ସଜୀବ ଓ ଉଭୟଙ୍କ ଶରୀର ତତ୍ୱ ଭିତରେ ଗୂଢ଼ ସମାନତା ଅଛି। ଏହି ଗୂଢ଼ ତତ୍ତ୍ୱକୁ ବୁଝି ପାରିଲେ ମଣିଷ ନିର୍ବିକାର ଓ ବୈରାଗୀ ହୋଇଯିବ।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-37-the-srimad-bhagwat-is-a-flawless-and-pure-great-purana-filled-with-devotion/
ଗୀତାରେ ଅଛି “ବାହ୍ୟ ସ୍ପର୍ଶେଷ୍ମସକ୍ତାତ୍ମା ବିନ୍ଦତ୍ୟାତ୍ମନି ଯତ ସୁଖମ, ସ ବ୍ରହ୍ମ ଯୋଗ ଯୁକ୍ତାତ୍ମା ସୁଖମ କ୍ଷୟମସ୍ମୁତେ” ଅର୍ଥାତ ବାହ୍ୟ ସ୍ପର୍ଶରେ ଅନାସକ୍ତ ଅନ୍ତଃ କରଣ ଯୁକ୍ତ ସାଧକ (ଠିକ ବୃକ୍ଷ୍ ପରି)ସାତ୍ଵିକ ସୁଖ ପ୍ରାପ୍ତ ହୁଅନ୍ତି। ତାପରେ ବ୍ରହ୍ମର ଅଭିନ୍ନ ଭାବ ଅନୁଭବ କରି ଅକ୍ଷୟ ସୁଖ ଅନୁଭବ କରନ୍ତି। ବୃକ୍ଷଟିଏ ସେହି ଅକ୍ଷୟ ସୁଖର ଅଧିକାରୀ ହୋଇଥାନ୍ତି । ଆସନ୍ତୁ ଅକ୍ଷୟ ସୁଖ ପାଇବା ପାଇଁ ଶ୍ରୀମଦ ଭାଗବତ ଜ୍ଞାନ ଅଧିକାରୀ ହେବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.