Latest Odisha News

‘ଇ-କେୱାଇସି ସରିବା ର୍ପୂବରୁ ସରେଣ୍ଡର କରନ୍ତୁ’: ଅଯୋଗ୍ୟ ରାସନ୍‌ କାର୍ଡଧାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍‌

ଭୁବନେଶ୍ୱର: ଅଯୋଗ୍ୟ ରାସନ୍‌ କାର୍ଡ ହିତାଧିକାରୀଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ତାଗିଦ୍। ମନ୍ତ୍ରୀ କହିଲେ, ‘ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ୍‌ କରୁଛି ସରେଣ୍ଡର କରିଯାଆନ୍ତୁ। ସରେଣ୍ଡର ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ।’

ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ। ସବୁ ପ୍ରକାର ଲୋକ ଅଛନ୍ତି। ସମସ୍ତଙ୍କୁ ଯୋଗାଣ ମନ୍ତ୍ରୀ ସରେଣ୍ଡର କରିବାକୁ ନିବେଦନ କରିଛନ୍ତି। ଇ-କେୱାଇସି (e-KYC) ସରିବା ର୍ପୂବରୁ ସରେଣ୍ଡର କରିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ। ଏଥିପାଇଁ କୌଣସି ଡେଡ୍‌ଲାଇନ୍‌ ନାହିଁ।

ସୂଚନା ଥାଉକି ହ୍ୟୁମାନ୍‌ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ୍‌ (ଏଚ୍‌ଆର୍‌ଏମ୍‌ଏସ୍‌)ର ତଥ୍ୟ ଅନୁଯାୟୀ, ସରକାରୀ ଚାକିରିଆଙ୍କ ନାଁରେ ଆସୁଛି ରାସନ୍‌। ଡାକ୍ତର, ଅଧ୍ୟାପକ, ପୁଲିସ ସବ୍‌ଇନ୍ସପେକ୍ଟର, ଟ୍ରାଫିକ୍‌ ପୁଲିସ, ଅଡିଟର, ଶିକ୍ଷକ, ରାଜସ୍ବ ନିରୀକ୍ଷକ, କନି‌ଷ୍ଠ କିରାଣିଙ୍କ ନାମରେ ପ୍ରତିମାସରେ ରାସନ୍‌ ଉଠୁଛି। କଟକରେ ଏଭଳି ୧୦ ହଜାର ୭ଶହ ପରିବାରର ସଦସ୍ୟ ବେଆଇନ ଭାବେ ରାସନ ପାଉଥିବା ବେଳେ ସେମାନେ ଏବେ ତାଲିକାରୁ ବାଦ୍‌ ପଡ଼ିବାକୁ ଯାଉଛନ୍ତି। ଯେଉଁ ସରକାରୀ କର୍ମଚାରୀ ରାସନ୍‌ ଉଠାଉଛନ୍ତି, ତାର ତାଲିକା ବ୍ଲକ୍‌ ଅନୁସାରେ ସବୁ ବିଡିଓ ଓ ବ୍ଲକ୍‌ ଯୋଗାଣ ଅଧିକାରୀଙ୍କୁ ପଠାଯାଇଛି।

ତାଲିକାରେ ରାସନ୍‌କ‌ାର୍ଡଧାରୀଙ୍କ ନାମ, ସେମାନଙ୍କର କିଏ କେଉଁ ବିଭାଗରେ ଓ କେଉଁ ପଦବୀରେ ଚାକିରି କରୁଛନ୍ତି, ରାସନ୍‌କାର୍ଡଧାରୀଙ୍କ ସହ ସେମାନଙ୍କ ସଂପର୍କ ଅର୍ଥାତ୍‌ ପୁଅ, ଝିଅ, ସ୍ବାମୀ ନା ନିଜେ କାର୍ଡଧାରୀ ସେସବୁର ତଥ୍ୟ ସରକାରଙ୍କ ପକ୍ଷରୁ ପ୍ରତି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯିବା ପରେ ଏହାର ତାଲିକା ପ୍ରତି ବ୍ଲକ୍‌କୁ ପଠାଯାଇଛି। କୁହାଯାଇଛି ତାଲିକା ଅନୁସାରେ ତଦନ୍ତ କରି ତାର ରିପୋର୍ଟ ଓ କେବେଠାରୁ ସରକାରୀ ଚାକିରିରେ ଅଛନ୍ତି ତାର ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ତାଲିକା ପ୍ରତି ବ୍ଲକ୍‌କୁ ଯିବାପରେ ଏବେ ଗ୍ରାମାଞ୍ଚଳରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି।

Comments are closed.