ମୁମ୍ବାଇ: ଭାରତୀୟ ଟି-୨୦ ଟିମର ପୂର୍ବତନ ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୨୦୨୬-୨୭ ରଣଜୀ ଟ୍ରଫି ସିଜନରେ ମୁମ୍ବାଇ ପାଇଁ ଖେଳିବାକୁ ଉପଲବ୍ଧ ରହିବେ । ଅକ୍ଟୋବର ୧୧ ରୁ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଚଣ୍ଡୀଗଡ଼ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ରେ ସେ ପ୍ରତିନିଧିତ୍ୱ କରିପାରନ୍ତି । ସେ ନିଜ ପ୍ରଥମ ଶ୍ରେଣୀ କ୍ୟାରିୟରରେ ୮୬ ଟି ମ୍ୟାଚ୍ରୁ ୪୨.୩୩ ହାରରେ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୧୪ ଟି ଶତକ ଓ ୩୦ ଟି ଅର୍ଦ୍ଧଶତକ ସାମିଲ ଅଛି । ଅନ୍ୟପଟେ, ମୁମ୍ବାଇର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ହାତରେ ଆଘାତ ଲାଗିବା କାରଣରୁ ପ୍ରାରମ୍ଭିକ କିଛି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ଅଭ୍ୟାସ ସମୟରେ ଆୟୁଷ ମ୍ହାତ୍ରେଙ୍କ ଗୋଟିଏ ଶଟ୍ ଶାର୍ଦ୍ଦୁଳଙ୍କ ହାତରେ ବାଜିବାରୁ ସେ ଆହତ ହୋଇଥିଲେ। ତାଙ୍କ ଅନୁପସ୍ଥିତିରେ ତୁଷାର ଦେଶପାଣ୍ଡେ ମୁମ୍ବାଇର ଦ୍ରୁତ ବୋଲିଂ ଆକ୍ରମଣର ନେତୃତ୍ୱ ନେବେ ।
ଶାର୍ଦ୍ଦୁଳ ଠାକୁର ଆହାତ ହୋଇ ବାଦ୍ ପଡ଼ିବା ପରେ, ଅଭିଜ୍ଞ ମଧ୍ୟକ୍ରମ ବ୍ୟାଟର ସିଦ୍ଧେଶ ଲାଡ୍ ୨୦୨୬-୨୭ ସିଜନ୍ ପାଇଁ ମୁମ୍ବାଇ ଦଳର ନୂଆ ଅଧିନାୟକ ଦାୟିତ୍ୱ ସମ୍ଭାଳିପାରନ୍ତି । ସୂର୍ୟ୍ୟକୁମାର ଯାଦବ ଶେଷ ଥର ପାଇଁ ୨୦୨୩ରେ ଭାରତ ପାଇଁ ନିଜର ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଟି୨୦ ଦଳରୁ ବାଦ୍ ପଡ଼ିବା ପରେ ଏହି ରଣଜୀ ସିଜନ୍ ଜରିଆରେ ସେ ନିଜର ଫର୍ମ ଓ ଫିଟନେସ୍ ପ୍ରମାଣିତ କରି ପୁଣି ଥରେ ରେଡ୍-ବଲ୍ (ଟେଷ୍ଟ) କ୍ରିକେଟକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି । ସିନିୟର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ନେଟ୍ ପ୍ରାକ୍ଟିସ୍ ସମୟରେ ଯୁବ ବ୍ୟାଟର ଆୟୁଷ ମ୍ହାତ୍ରେଙ୍କ ଗୋଟିଏ ଶକ୍ତ ସଟ୍କୁ ରୋକିବାକୁ ଯାଇ ହାତରେ ଆଘାତ ପାଇଥିଲେ ।

