Latest Odisha News

BREAKING NEWS

କେନ୍ଦ୍ରାପଡ଼ା ପ୍ରସିଦ୍ଧ ମିଠା ରସାବଳିକୁ ଜିଆଇ ଟ୍ୟାଗ୍ ମାନ୍ୟତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି। କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳି ସଂଘର ଆବେଦନକୁ ମଞ୍ଜୁରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା। ଏଥିପାଇଁ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ‘କେନ୍ଦ୍ରାପଡା ରସାବଳି ମିଷ୍ଟାନ୍ନ ନିର୍ମାତା ସଂଘ’ ପକ୍ଷରୁ ବିଧିବଦ୍ଧ ଭାବେ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା।

ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅଧିକରୁ ଅଧିକ ଦ୍ରବ୍ୟ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପରାମର୍ଶ ଦିଆଯାଇଥିଲା ବେଳେ ସେଥିରେ କେନ୍ଦ୍ରାପଡ଼ାର ରସାବଳି, ପୋଟଳି ପିଠା ଆଉ କାଇଁଚ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ କୁହାଯାଇଥିଲା। ରସାବଳି କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଐତିହ୍ୟ ଏବଂ ସାଂସ୍କୃତିକ ବିରାସତର ଏକ ଭିନ୍ନ ପ୍ରତୀକ। କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦୁଇବର୍ଷର ଦାବି ପାଖରେ ଏକ ସୁଯୋଗ ପହଞ୍ଚିଛି ଯେ ରସାବଳିକୁ ଜିଆଇ ଟ୍ୟାଗ ଅଥବା ଭୌଗଳିକ ସୁଚକାଙ୍କରେ ଏହା ଅନ୍ତର୍ଭୁକ୍ତ ହୋଇଛି।

ରସାବଳି ରସାବଳି ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ। ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ମିଲିଯିବାରୁ ଅନ୍ୟତ୍ର ତିଆରି ରସାବଳିକୁ କେନ୍ଦ୍ରାପଡ଼ା ରସାବଳି ଭାବେ ଆଉ ବିକ୍ରି କରିହେବ ନାହିଁ। ଏଥିରେ କେନ୍ଦ୍ରାପଡ଼ାବାସୀଙ୍କ ଏକ ପ୍ରକାର ପାରମ୍ପରିକ ଜ୍ଞାନ ଓ ସୁରକ୍ଷା ମିଳିବାକୁ ଯାଉଛି।

ରସାବଳି ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ସାମଗ୍ରୀକୁ ନେଇ ନିକଟରେ ଭୁବନେଶ୍ଵରରେ ଅନୁଷ୍ଠିତ ଏକ ଜାତୀୟ ସ୍ତରୀୟ ବୈଠକରେ ମୂଲ୍ୟାୟନ କରାଯାଇଥିଲା । ଏଥିରେ ରସାବଳିକୁ ନେଇ ଜିଆଇ ଟ୍ୟାଗ ମାନ୍ୟତା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ସବୁଠାରୁ ରସାବଳିକୁ ଏହି ବୈଠକରେ ଜିଆଇ ମାନ୍ୟତା ନେଇ ପ୍ରାଧାନ୍ୟ ଦିଆଯାଇଥିଲା।

Leave A Reply

Your email address will not be published.