Latest Odisha News

BREAKING NEWS

ଛତିଶଗଡରେ ଗରିବ ଅସ୍ତ୍ରରେ ମୋଦିଙ୍କ ଆକ୍ରମଣ, ବସ୍ତର ବନ୍ଦ କରିଦେଲା କଂଗ୍ରେସ!

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟକୁ ମାରାଥନ ଗସ୍ତ କରୁଛନ୍ତି। ଏହି କ୍ରମରେ ମୋଦି ଛତିଶଗଡ଼ ଗସ୍ତ କରିଛନ୍ତି।

ଛତିଶଗଡ଼ ଜଗଦଲପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ବିହାରରେ ଜାତିଗତ ଜନଗଣନା ସହ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ନାରା ଜିତନି ଆବାଦୀ ଉତନା ହକକୁ ଟାର୍ଗେଟ କରିଛନ୍ତି ମୋଦି।

ଦେଶରେ ଯଦି କୌଣସି ବଡ଼ ଆବାଦୀ ଅଛି ତାହେଲେ ସେ ହେଉଛନ୍ତି ଗରିବ। ତେଣୁ ଗରିବ କଲ୍ୟାଣ ତାଙ୍କ ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ସବୁଠୁ ଅଧିକ ଗରିବ ଅଛନ୍ତି ତେଣୁ ସେମାନଙ୍କର ସବୁଠୁ ଅଧିକ ହକ ରହିଛି ବୋଲି ମୋଦି କହିଛନ୍ତି।

କଂଗ୍ରେସକୁ ଏବେ କଂଗ୍ରେସ ଲୋକ ଚଳାଉନାହାନ୍ତି ବରଂ ଦେଶବିରୋଧୀ ଶକ୍ତି ଚଳାଉଛନ୍ତି ବୋଲି ସେ କହିଛନ୍ତି। ମୋଦିଙ୍କ ପାଇଁ ସବୁଠୁ ବଡ଼ ଜାତି ଗରିବ ଓ ସେମାନଙ୍କ ଉତ୍ଥାନ ହେବ, ଦେଶ ଆଗକୁ ବଢିବ ବୋଲି କୁହାଯାଇଛି।

କଂଗ୍ରେସ ପ୍ରଜାତନ୍ତ୍ରକୁ ଲୁଟତନ୍ତ୍ର କରିଥିବା ସେ କହିଛନ୍ତି। ଏପରିକି ବସ୍ତର ଷ୍ଟିଲ ପ୍ଲାଣ୍ଟ ଉପରେ କବଜା କରି କଂଗ୍ରେସ ଲୁଟ କରିବାକୁ ଚାହୁଁଥିବା ମୋଦି କହିଛନ୍ତି। କିନ୍ତୁ ଏହି ପ୍ଲାଣ୍ଟ ବସ୍ତର ବାସୀଙ୍କର ଓ କଂଗ୍ରେସ ନେତାଙ୍କୁ ଏହି ପ୍ଲାଣ୍ଟର ମାଲିକ ହେବାକୁ ଦିଆଯିବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏପରିକି ଧାନର ମୂଲ୍ୟ ନାଁରେ କଂଗ୍ରେସ ମିଛ କହୁଛି ବୋଲି ସେ କହିଛନ୍ତି। ଛତିଶଗଡ଼ ଚାଷୀଙ୍କ ଧାନ ମୋଦି ସରକାର କିଣୁଛି। ପୂର୍ବରୁ କଂଗ୍ରେସ ସରକାରର ଘୋଟାଲା ସମ୍ପର୍କରେ ଚର୍ଚ୍ଚା ହେଉଥିବା ବେଳେ ଏବେ ଦେଶର ଗୌରବର ଚର୍ଚ୍ଚା ବିଦେଶରେ ହେଉଛି ବୋଲି ଛତିଶଗଡରେ ମୋଦି କହିଛନ୍ତି।

ସେପଟେ ମୋଦିଙ୍କ ଗସ୍ତବେଳେ ନଗରନାର ଏନଏମଡିସି ପ୍ଲାଣ୍ଟ ବିକ୍ରିକୁ ବିରୋଧ କରି କଂଗ୍ରେସ ଦ୍ୱାରା ନଗର ବନ୍ଦ ଆହ୍ୱାନ ଦିଆଯାଇଥିଲା। ବ୍ୟବସାୟୀ ମାନେ ବନ୍ଦକୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି।

ନଗରନାର ଷ୍ଟିଲ ପ୍ଲାଣ୍ଟକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ଟେଣ୍ଡର ଜାରି କରିଥିବା କଂଗ୍ରେସ ନେତା ସୁଶୀଲ ମୌର୍ଯ୍ୟ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ବସ୍ତରବାସୀଙ୍କ ସହ ଧୋକା କରୁଥିବା କୁହାଯାଇଛି।

ଗୋଟିଏ ପଟେ ପରିବର୍ତ୍ତନ ମହାସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ବର୍ଷିଥିବା ବେଳେ ଅନ୍ୟପଟେ କଂଗ୍ରେସର ବସ୍ତର ଅଞ୍ଚଳରେ ବନ୍ଦ ଡାକରା ମୋଦିଙ୍କ ଗସ୍ତକୁ କାଉଣ୍ଟର କରିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.