Latest Odisha News

BREAKING NEWS

ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ

ଚେନ୍ନାଇ: କନ୍ୟାକୁମାରୀରେ ସମୁଦ୍ରରେ ଭାସିଯାଇ ୫ ଜଣଙ୍କ ଡାକ୍ତରୀ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାମିଲନାଡୁର କନ୍ୟାକୁମାରୀର ଲେମୁର ବେଳାଭୂମି ବୁଲିବାକୁ ଆସିଥିବା ପାଞ୍ଚଜଣ ମେଡିକାଲ ଛାତ୍ର ସମୁଦ୍ରରେ ବୁଡ଼ି ଯାଇଥିଲେ । ବର୍ତ୍ତମାନ ସମୁଦ୍ର ଅଶାନ୍ତ ଥିବାରୁ ସେଠାକୁ ଯିବାପାଇଁ ବାରଣ ହେବା ସତ୍ତ୍ଵେ ମଧ୍ୟ କିଛି ଛାତ୍ର ବେଳାଭୂମିକୁ ଯାଇଥିଲେ । ସମୁଦ୍ରର ଉଚ୍ଚ ଢେଉରେ ଫସିଯିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ପୋଲିସର ସୂଚନା ଅନୁସାରେ, ଏକ ମେଡିକାଲ କଲେଜର ଜଣେ ଡାକ୍ତରଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ୧୨ ଜଣ ମେଡିକାଲ ଛାତ୍ରଛାତ୍ରୀ କନ୍ୟାକୁମାରୀ ଆସିଥିଲେ। ବିବାହ ସମାରୋହରେ ଯୋଗଦେବା ପରେ ସମସ୍ତ ଛାତ୍ରଛାତ୍ରୀ କନ୍ୟାକୁମାରୀ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ, ୧୦ ଜଣ ଛାତ୍ରଛାତ୍ରୀ ଲେମୁର ବେଳାଭୂମି ପରିଦର୍ଶନ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୬ଜଣ ସମୁଦ୍ରରେ ଗାଧୋଇବାବେଳେ ସମୁଦ୍ରରେ ଭାସି ଯାଇଥିଲେ ।

ତେବେ ସମୁଦ୍ରରେ ବୁଡିଯିବା କାରଣରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଉକ୍ତ ୩ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ନେବା ବେଳେ ବାଟରେ ଆଉ ଦୁଇ ଜଣ ପ୍ରାଣ ହରାଇଥିଲେ । ସମସ୍ତ ମୃତକ ଛାତ୍ରୀଛାତ୍ର ତିରୁଚିରାପଲ୍ଲୀସ୍ଥିତ ଏସ୍‌ଆରଏମ ମେଡିକାଲ କଲେଜରେ ଶେଷ ବର୍ଷରେ ଅଧ୍ୟୟନ କରୁଥିଲେ। ମୃତକଙ୍କ ମଧ୍ୟରୁ ୪ ଜଣ ତାମିଲନାଡ଼ୁର ହୋଇଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ହୋଇଥିବା ସୂଚନା ମିଳିଛି।

ତାମିଲନାଡୁ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମୁଦ୍ରିକ ଝଡ ସୃଷ୍ଟି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀଧର ମତ୍ସ୍ୟଜୀବୀ ତଥା ପର୍ଯ୍ୟଟକଙ୍କୁ ସମୁଦ୍ରକୁ ନ ଯିବାକୁ ଚେତାବନୀ ଦେଇଛନ୍ତି । ଲେମୁର ବେଳାଭୂମିରେ ସମୁଦ୍ର ଅଶାନ୍ତ ଥିବାରୁ ଏହା ଏବେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଏହାସତ୍ତ୍ୱେ ମଧ୍ୟ କିପରି ଏହି ଛାତ୍ରୀଛାତ୍ର ସେଠାରେ ପହଞ୍ଚିଲେ ସେନେଇ ତଦନ୍ତ ଚାଲିଥିବା କନ୍ୟାକୁମାରୀ ଏସ୍‌ପି ଇ ସୁନ୍ଦରୂଥାନମ ସୂଚନା ଦେଇଛନ୍ତି।

 

 

Leave A Reply

Your email address will not be published.