Latest Odisha News

ଜାଣନ୍ତୁ, ଭାରତ ଛଡ଼ା ଅନ୍ୟ କେଉଁ କେଉଁ ସ୍ଥାନରେ ରହିଛି ତାଜମହଲ !

ଭୂବନେଶ୍ୱର : ପ୍ରେମର ପ୍ରତୀକ ଭାବେ ଆଗ୍ରାର ତାଜମହଲ ବିଶ୍ୱ ପ୍ରସିଦ୍ଧ । ଏହାର ମନୋରମ ଦୃଶ୍ୟପଟ୍ଟ ଓ ଆକର୍ଷଣୀୟ ସୈାନ୍ଦର୍ଯ୍ୟକୁ ଦେଖିଲେ ଯେ କେହିବି ମନ୍ତ୍ରମୁଗ୍ଧ ହୋଇଯିବ । ମୋଗଲ ଶାସକ ଶାହାଜାହାନ ନିଜ ପ୍ରାଣପ୍ରିୟା ପତ୍ନୀ ମୋମତାଜଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ ।

ଯଦିଓ କେହି ତାଜମହଲ ଦେଖିବାର ସୁଯୋଗ ପାଇନଥିବ, କିନ୍ତୁ ସେମାନେ ଏହା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ଦେଶବିଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହାର ସୁନ୍ଦରତାକୁ ଦେଖିବାକୁ ଆସିଥାନ୍ତି । ଆଶ୍ଚର୍ଯ୍ୟର କଥା ତାଜମହଲ କେବଳ ଭାରତରେ ନୁହେଁ ଆହୁରି ଅନେକ ଦେଶରେ ମଧ୍ୟ ରହିଛ, ଜାଣନ୍ତୁ ଆଉ କେଉଁ କେଉଁ ଦେଶରେ ତାଜମହଲ ପରି ଅବିକଳ ସ୍ଥାପତ୍ୟ ଦେଖିବାକୁ ମିଳେ…

ବାଙ୍ଗଲାଦେଶ – ଆଗ୍ରାର ତାଜମହଲ ତାର ସୈାନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି । ଜାଣିକି ଆଶ୍ଚର୍ଯ୍ୟ ହେବେ ଆମ ପଡୋଶୀ ଦେଶ ବାଙ୍ଗଲାଦେଶର ରାଜଧାନୀ ଢାକା ଠାରେ ଆପଣ ତାଜମହଲ ଦେଖିବାକୁ ପାଇବେ । ଜନୈକ ବାଙ୍ଗଲାଦେଶୀ ଫିଲ୍ମମେକର ହସନଉଲ୍ଲା ମୋନି ୨୦୦୮ ମସିହାରେ ଏହାକୁ ନିର୍ମାଣ କରାଇଥିଲେ ।

୧୯୮୦ ମସିହାରେ ହସନ ଯେତେବେଳେ ଆଗ୍ରାର ତାଜମହଲ ପରିଦର୍ଶନରେ ଆସିଥିଲେ, ସେତେବେଳେ ତାଜର ସୈାନ୍ଦର୍ଯ୍ୟରେ ସମ୍ପୂର୍ଣ୍ଣ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଠିକ୍ ସେହି ସମୟରେ ନିଜ ଦେଶରେ ତାଜର ଅବିକଳ ନକଲ ନିର୍ମାଣ କରାଇବେ ବୋଲି ନିଷ୍ପତି ନେଇଥିଲେ । ପରବର୍ତି ସମୟରେ ସେ ବାଙ୍ଗଲାଦେଶରେ ଏହାର ନିର୍ମାଣ କରାଇଥିଲେ ।

ଦୁବାଇ – ଦୁବାଇରେ ଅମରାତି ନିକଟସ୍ଥ ଫାଲକନ୍ ସିଟିରେ ଏକ ସୁନ୍ଦର ତାଜମହଲ ଦେଖିବାକୁ ମିଳେ । ଏହା ‘ତାଜ ଅରବିଆ’ ନାମରେ ନାମିତ । ୨୦ ମହଲା ବିଶିଷ୍ଟ କାଚରେ ତିଆରି ଏକ ଇମାରତକୁ ତାଜମହଲର ପ୍ରତିରୂପ ଭାବେ ନିର୍ମାଣ କରାଯାଇଛି, ଯେଉଁଥିରେ ୩୫୦ଟି କୋଠରୀ ରହିଛି । ସମସ୍ତ କି୍ଲଅରାନ୍ସ ପରେ ୨୦୧୭ ମସିହାରେ ଏହି ‘ତାଜ ଅରବିଆ’କୁ ସର୍ବସାଧାରଣ ପାଇଁ ପ୍ରବେଶ ମଂଜୁରୀ ମିଳିଥିଲା । ସେଠାରେ ମୋଗଲ ଗାର୍ଡେନ ମଧ୍ୟ ନିର୍ମାଣ କରାଯାଇଛି । ଏହାଛଡା ସେଠାରେ ଏକ ରେଷ୍ଟୁରାଂଟ ସହ ନାଇଟ୍ କ୍ଲବ ରହିଛି ।

ଚୀନ୍ – ତାଜମହଲ କେବଳ ଭାରତରେ ନୁହେଁ ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ରହିଛି । ଦୁନିଆ ଆଗରେ ଚୀନ୍ ସବୁବେଳେ ନିଜର ଏକ ସ୍ୱତନ୍ତ୍ର ଭାବେ ପ୍ରକାଶ କରିଥାଏ । ନକଲି ଜିନିଷ ତିଆରି କରିବାରେ ସିଦ୍ଧହସ୍ତ ଥିବା ଚୀନ୍ ତାଜମହଲର ବି ଅବିକଳ ନକଲ ନିର୍ମାଣ କରିଛି ।୧୯୯୩ ମସିହାରେ ଶେନଝାନ୍ ସହରର ପଶ୍ଚିମ ଭାଗରେ ଥିବା ଏକ ଥିମ୍ ପାର୍କରେ ଏହାର ନିର୍ମାଣ ହୋଇଥିଲା । ଧଳା ମାର୍ବଲରେ ଏହା ସମ୍ପୂର୍ଣ୍ଣ ଭାବେ ନିର୍ମିତ । ଭାରତର ତାଜମହଲ ସହ ଏହା ଅବିକଳ ପ୍ରତିରୁପ ପାଖାପାଖି ସମାନ । ସେଠାରେ ଏହା ‘ବିଶ୍ୱ କି ଖିଡକି’ ନାମରେ ପରିଚିତ ।

ମହାରାଷ୍ଟ – ମହାରାଷ୍ଟ୍ରର ୱରଙ୍ଗାବାଦରେ ‘ବିବି କା ମକବରା’ ନାମକ ତାଜମହଲ ଅବସ୍ଥିତ । ଶାହାଜାହାନ ଯେପରି ମୋମତାଜଙ୍କ ପାଇଁ ତାଜର ନିର୍ମାଣ କରିଥିଲେ ଠିକ୍ ସେହିପରି ୱରଙ୍ଗଜେବଙ୍କ ପୁତ୍ର ଆଜମ ଶାହା ନିଜ ମା ଦିଲରାସ ବାନୁଙ୍କ ସ୍ମୃତିରେ ୧୬୭୮ ରେ ଏହାର ନିର୍ମାଣ କରାଇଥିଲେ ।

କୁହାଯାଏ ୱରଙ୍ଗଜେବଙ୍କ ଦ୍ୱାରା ନିର୍ମିତ ବିଭିନ୍ନ ମସଜିଦ୍ ଓ ମକବରା ମଧ୍ୟରୁ ପୁତ୍ର ଆଜମ ଶାହାଙ୍କ ନିର୍ମିତ ‘ବିବି କା ମକବରା’ ସବୁଠୁ ଅନନ୍ୟ ଓ ଆକର୍ଷଣୀୟ ରହିଥିଲା । ଏହା ଆଗ୍ରାର ତାଜମହଲ ପରି ଦେଖିବାକୁ ପାଖାପାଖି ସମାନ ହୋଇଥିବାରୁ ଏହାକୁ ‘ଦକ୍ଷିଣ ତାଜ’ ମଧ୍ୟ କୁହାଯାଏ ।

Leave A Reply

Your email address will not be published.