Latest Odisha News

BREAKING NEWS

ରଘୁନାଥଙ୍କ ବିୟୋଗରେ ତାଳଚେର ସାମ୍ବାଦିକଙ୍କ ଶୋକସଭା

ଅନୁଗୁଳ: କରୋନା ମହାମାରୀର ଦ୍ୱିତୀୟ ଲହରରେ ହଜିଗଲା ଅନୁଗୁଳର ସାମ୍ବାଦିକ ରଘୁନାଥ ସାହୁଙ୍କ ଜୀବନ । ଶୁକ୍ରବାର ତାଙ୍କ ନିଧନ ଖବର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳାଇଦେଇଥିଲା । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ତାଳଚେର କାର୍ଯ୍ୟରତ ସାମ୍ବାଦିକ ସଙ୍ଗଠନ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଥିଲା । ରଘୁନାଥଙ୍କୁ ଶ୍ରଦ୍ଧାଂଜଳି ଦେବା ଅବସରରେ ତାଳଚେର ତଥା ଅନୁଗୁଳର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ ।

ନୀରବ ପ୍ରାର୍ଥନା ସହ ରଘୁନାଥଙ୍କ ପରିବାରକୁ ସମବେଦନା ଜଣାଇଥିଲେ ବହୁ ଜଣାଶୁଣା ତଥା ବରିଷ୍ଠ ସାମ୍ବାଦିକ । ମାତ୍ର ୨୯ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିବା ରଘୁନାଥ ପ୍ରଥମେ ସମୟ ଖବର କାଗଜରୁ ସାମ୍ବାଦିକତା ଆରମ୍ଭ କରିଥିଲେ । ପରବର୍ତ୍ତି ସମୟରେ ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ମଧ୍ୟ ସକ୍ରିୟ ଥିଲେ । ନିର୍ଭିକ ସାମ୍ବାଦିକ ରଘୁନାଥ ସମସ୍ତ ବର୍ଗର ଲୋକଙ୍କ ନିକଟରେ ବେଶ ଆଦୃତ ହୋଇପାରିଥିଲେ । ସାମ୍ବାଦିକତା ସହ ସମାଜସେବା ଓ କବିତା ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ ।

ମୃତ୍ୟୁ ପୂର୍ବରୁ କିଡନୀ ଓ ଲିଭର ଜନିତ ସମସ୍ୟା ପାଇଁ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ପରେ କରୋନା ସଂକ୍ରମଣର ଲକ୍ଷଣ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଖବର ଗଣମାଧ୍ୟମ ଜଗତକୁ ସ୍ତବ୍ଧ କରିଦେଇଥିଲା ।

Leave A Reply

Your email address will not be published.