ତାମିଲନାଡୁରେ ଝୁଲା ସରକାର: ମ୍ୟାଜିକ୍ ନମ୍ବରରୁ ସାମାନ୍ୟ ଦୂରରେ ବିଜୟ, ମୁଖ୍ୟମନ୍ତ୍ରୀ ଚେୟାର୍ ପାଇଁ କିଏ ଦେବ ସମର୍ଥନ?
ଚେନ୍ନାଇ: ଦଶନ୍ଧି ଦଶନ୍ଧି ଧରି ତାମିଲନାଡୁର ଭୋଟରମାନେ ଗୋଟିଏ ଦଳ ବା ମେଣ୍ଟକୁ ସ୍ପଷ୍ଟ ଜନାଦେଶ ଦେଇଆସିଛନ୍ତି, ଯେଉଁଠି ମୁଖ୍ୟତଃ ଡିଏମକେ ଏବଂ ଏଆଇଏଡିଏମକେ ଭଳି ଦୁଇ ଦ୍ରାବିଡ଼ ଦଳ ମଧ୍ୟରେ କ୍ଷମତା ହସ୍ତାନ୍ତର ହୋଇଆସୁଥିଲା। କିନ୍ତୁ ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ଏକ ବିରାଟ ହଲଚଲ ସୃଷ୍ଟି କରିଛି। ଅଭିନେତାରୁ ନେତା ପାଲଟିଥିବା ଥାଲାପତି ବିଜୟଙ୍କ ନୂଆ ଦଳ ‘ତାମିଝାଗା ଭେଟ୍ରି କାଝାଗମ୍’ (TVK) ନିଜର ପ୍ରଥମ ନିର୍ବାଚନରେ ହିଁ ସବୁଠାରୁ ବଡ଼ ଦଳ ଭାବେ ଉଭା ହେବା ସହ ରାଜ୍ୟକୁ ଏକ ଝୁଲା ସରକାର ଆଡ଼କୁ ଠେଲି ଦେଇଛି।
ତାମିଲନାଡୁ ବିଧାନସଭାରେ ସର୍ବମୋଟ ୨୩୪ଟି ଆସନ ରହିଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା ସାଧାରଣ ବହୁମତ ହେଉଛି ୧୧୮। ଫଳାଫଳ ଅନୁଯାୟୀ, ଟିଭିକେ ୧୦୮ଟି ଆସନରେ ବିଜୟୀ ହୋଇ ସର୍ବବୃହତ ଦଳ ହୋଇଛି, କିନ୍ତୁ ବହୁମତ ଠାରୁ ପ୍ରାୟ ୮ ରୁ ୧୦ଟି ଆସନ ପଛରେ ରହିଯାଇଛି। ଅନ୍ୟପଟେ ଶାସକ ଡିଏମକେ ୫୯ଟି ଆସନ ଏବଂ ଏଆଇଏଡିଏମକେ ୪୭ଟି ଆସନରେ ସୀମିତ ରହିଛନ୍ତି। ଏଭଳି ସ୍ଥିତିରେ ସରକାର ଗଠନ କରିବାକୁ ହେଲେ ବିଜୟଙ୍କୁ ଅନ୍ୟ ଦଳର ସମର୍ଥନ ନିହାତି ଲୋଡ଼ା। ଏବେ ବଡ଼ ପ୍ରଶ୍ନ ଉଠୁଛି, ଏହି ମ୍ୟାଜିକ୍ ନମ୍ବର ଛୁଇଁବା ପାଇଁ ଟିଭିକେ ଆଗରେ କ’ଣ ସବୁ ବିକଳ୍ପ ରହିଛି?
ବିଜୟଙ୍କ ପାଇଁ ସବୁଠାରୁ ସହଜ ଏବଂ ସିଧା ରାସ୍ତା ହେଉଛି ଛୋଟ ଦଳଗୁଡ଼ିକ ସହ ମିଶି ସରକାର ଗଢ଼ିବା। ରାଜ୍ୟରେ କଂଗ୍ରେସ, ପିଏମକେ, ସିପିଆଇ, ସିପିଆଇ(ଏମ), ଭିସିକେ ଏବଂ ଡିଏମଡିକେ ଭଳି ଦଳଗୁଡ଼ିକ ଅଳ୍ପ ସଂଖ୍ୟକ ଆସନ ଜିତିଛନ୍ତି । ଏମାନଙ୍କ ମଧ୍ୟରୁ କୌଣସି ଦୁଇ ବା ତାଠାରୁ ଅଧିକ ଦଳଙ୍କ ସମର୍ଥନ ପାଇଲେ ଟିଭିକେ ସହଜରେ ୧୧୮ର ମ୍ୟାଜିକ୍ ନମ୍ବର ପାର କରିଯିବ। ସୂଚନା ଅନୁଯାୟୀ, ସରକାର ଗଠନ ନେଇ କଂଗ୍ରେସ ସହ ଟିଭିକେର ଆଲୋଚନା ମଧ୍ୟ ଜୋରସୋରରେ ଚାଲିଛି।
ଦ୍ୱିତୀୟ ଏବଂ ଏକ ରୋଚକ ବିକଳ୍ପ ଭାବେ ଏଆଇଏଡିଏମକେର ବାହ୍ୟ ସମର୍ଥନ ମିଳିବାର ମଧ୍ୟ ଚର୍ଚ୍ଚା ହେଉଛି। ଡିଏମକେକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ଏଆଇଏଡିଏମକେ ନିର୍ବାଚନ ପରବର୍ତ୍ତୀ ସମର୍ଥନ ଦେଇପାରେ। ତେବେ ବିଜୟ ପୂର୍ବରୁ ବିଜେପି ସହ କୌଣସି ମେଣ୍ଟ କରିବାକୁ ମନା କରିଥିବାରୁ, ଏହି ବୁଝାମଣା ପାଇଁ ଏଆଇଏଡିଏମକେକୁ ଏନ୍ଡିଏ ମେଣ୍ଟରୁ ଦୂରେଇ ରହିବାକୁ ପଡ଼ିପାରେ। ଯାହାକି ଏହି ବିକଳ୍ପରେ ଏକ ବଡ଼ ପ୍ରତିବନ୍ଧକ ସାଜିପାରେ।
ତୃତୀୟ ରାସ୍ତାଟି ହେଉଛି, କଂଗ୍ରେସ କିମ୍ବା ପିଏମକେ ଭଳି ଦଳଙ୍କୁ ସରକାରରେ ସାମିଲ ନକରି ସେମାନଙ୍କ ଠାରୁ କେବଳ କିଛି ପ୍ରସଙ୍ଗ ଭିତ୍ତିକ ବା ସର୍ତ୍ତମୂଳକ ସମର୍ଥନ ଆଦାୟ କରିବା। ଏହାଦ୍ୱାରା ଟିଭିକେ ନିଜର ରାଜନୈତିକ ସ୍ୱାଧୀନତା ବଜାୟ ରଖିପାରିବ।
ଏହି ଝୁଲା ପରିସ୍ଥିତି ଭିତରେ ତାମିଲନାଡୁରେ ଏବେ ବିଧାୟକ କିଣାବିକାର ଭୟ ମଧ୍ୟ ବଢ଼ିଯାଇଛି। ନିଜର ବିଧାୟକମାନଙ୍କୁ ଅନ୍ୟ ଦଳର ପ୍ରଲୋଭନରୁ ସୁରକ୍ଷିତ ରଖିବା ପାଇଁ ଟିଭିକେ ନିଜର ନବନିର୍ବାଚିତ ବିଧାୟକମାନଙ୍କୁ ମହାବଳୀପୁରମ୍ ନିକଟସ୍ଥ ଏକ ରିସର୍ଟକୁ ସ୍ଥାନାନ୍ତର କରି ‘ରିସର୍ଟ ରାଜନୀତି’ ଆରମ୍ଭ କରିଦେଇଛି।