Latest Odisha News

BREAKING NEWS

ଦିଦିଙ୍କୁ ମାତ୍ ଦେଇଥିବା ବିଜେପିର ବାହୁବଳୀ… ଜାଣନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର, ସମ୍ପତ୍ତି ଓ ସଫଳତାର କାହାଣୀ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ସାରା ଦେଶରେ ଯଦି କୌଣସି ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି, ସେ ହେଉଛିନ୍ତିୃ ‘ଶୁଭେନ୍ଦୁ ଅଧିକାରୀ’। ରାଜନୀତିରେ କୁହାଯାଏ ଯେ, ନିଜ ଲୋକ ହିଁ ଦୁର୍ବଳତା ସବୁଠୁ ଭଲ ଭାବେ ଜାଣିଥାନ୍ତି। ଦିନେ ମମତା ବାନାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାରେ ଯେଉଁ ବ୍ୟକ୍ତିଙ୍କର ସବୁଠାରୁ ବଡ଼ ହାତ ଥିଲା, ଆଜି ସେହି ବ୍ୟକ୍ତି ହିଁ ତାଙ୍କୁ କ୍ଷମତାଚ୍ୟୁତ କରିଛନ୍ତି। କେବଳ ସେତିକି ନୁହେଁ, ଶୁଭେନ୍ଦୁ ଏଥର ଉଭୟ ନନ୍ଦୀଗ୍ରାମ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଡ଼ ଭବାନୀପୁରରୁ ବିଜୟୀ ହୋଇ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି।

୧୫ ଡିସେମ୍ବର ୧୯୭୦ ମସିହାରେ ପଶ୍ଚିମବଙ୍ଗର କରକୁଲି (ପୂର୍ବ ମେଦିନୀପୁର) ଠାରେ ଜନ୍ମଗ୍ରହଣ କରିଥିଲେ ଶୁଭେନ୍ଦୁ ଅଧିକାରୀ। ସେ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ଏମଏରେ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ପାରିବାରିକ ପୃଷ୍ଠଭୂମି ସମ୍ପୂର୍ଣ୍ଣ ରୂପେ ରାଜନୀତି ସହ ଜଡ଼ିତ। ତାଙ୍କ ବାପା ଶିଶିର ଅଧିକାରୀ ପଶ୍ଚିମବଙ୍ଗର ଜଣେ ବରିଷ୍ଠ ତଥା ପ୍ରଭାବଶାଳୀ ନେତା, ଯିଏକି ପୂର୍ବରୁ ବିଧାୟକ ଏବଂ ସାଂସଦ ରହିସାରିଛନ୍ତି। ସେହିପରି ତାଙ୍କ ଭାଇ ଦିବ୍ୟେନ୍ଦୁ ଅଧିକାରୀ ମଧ୍ୟ ରାଜନୀତିରେ ବେଶ୍ ସକ୍ରିୟ। ପୂର୍ବ ମେଦିନୀପୁର ଏବଂ ଆଖପାଖ ଅଞ୍ଚଳରେ ଅଧିକାରୀ ପରିବାରର ଏକଚାଟିଆ ପ୍ରଭାବ ରହିଆସିଛି।

ସାମାଜିକ ସମୀକରଣ ଦୃଷ୍ଟିରୁ ଦେଖିଲେ ଶୁଭେନ୍ଦୁ ସ୍ଥାନୀୟ ମହିଷ୍ୟ ସମ୍ପ୍ରଦାୟରୁ ଆସନ୍ତି, ଯେଉଁମାନଙ୍କର ଏହି ଅଞ୍ଚଳରେ ଏକ ନିର୍ଣ୍ଣାୟକ ଭୋଟ୍ ବ୍ୟାଙ୍କ ରହିଛି। ସେ ନିଜକୁ ସବୁବେଳେ ଜଣେ ‘ମାଟିର ପୁଅ’ ଭାବେ ଉପସ୍ଥାପନ କରିଆସିଛନ୍ତି।

ଶୁଭେନ୍ଦୁଙ୍କ ରାଜନୈତିକ କ୍ୟାରିୟର ୧୯୯୫ ମସିହାରେ କଂଗ୍ରେସରୁ ଆରମ୍ଭ ହୋଇଥିଲା, ଯେତେବେଳେ ସେ କାନ୍ଥି ପୌରପାଳିକାର କାଉନସିଲର ହୋଇଥିଲେ। ପରେ ୧୯୯୮ ରେ ନବଗଠିତ ତୃଣମୂଳ କଂଗ୍ରେସରେ ସେ ଯୋଗ ଦେଇଥିଲେ। ୨୦୦୬ରେ ସେ କାନ୍ଥି ଦକ୍ଷିଣରୁ ପ୍ରଥମ ଥର ବିଧାୟକ ହୋଇଥିଲେ। ତେବେ ତାଙ୍କ ଜୀବନର ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା ୨୦୦୭ର ‘ନନ୍ଦୀଗ୍ରାମ ଆନ୍ଦୋଳନ’। ବାମପନ୍ଥୀ ସରକାରଙ୍କ ଜମି ଅଧିଗ୍ରହଣ ନୀତି ବିରୋଧରେ ‘ଭୂମି ଉଚ୍ଛେଦ ପ୍ରତିରୋଧ କମିଟି’ ଗଠନ କରି ସେ ଗ୍ରାଉଣ୍ଡ୍ ଜିରୋରେ ଲଢ଼େଇ କରିଥିଲେ। ତାଙ୍କର ଏହି ଲଢୁଆ ଅନ୍ଦାଜ ଯୋଗୁଁ ୩୪ ବର୍ଷର ବାମପନ୍ଥୀ ଶାସନର ପତନ ଘଟିଥିଲା ଏବଂ ମମତା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେ ୨୦୦୯ ଓ ୨୦୧୪ ରେ ତାମ୍‌ଲୁକରୁ ଲୋକସଭା ସାଂସଦ ହୋଇଥିଲେ ଏବଂ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ରାଜ୍ୟର ପରିବହନ ଓ ଜଳସେଚନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ସବୁକିଛି ଠିକ୍ ଚାଲିଥିବା ବେଳେ ଦଳ ଭିତରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପ୍ରଭାବ ବଢିବା ଶୁଭେନ୍ଦୁଙ୍କୁ କ୍ଷୁବ୍ଧ କରିଥିଲା।

ଯେଉଁ ‘ପରିବାରବାଦ’ ବିରୋଧରେ ସେ ଦିନେ ଲଢ଼ିଥିଲେ, ତାହା ଟିଏମ୍‌ସି ଭିତରେ ଦେଖିବାକୁ ପାଇ ସେ ୨୦୨୦ ଡିସେମ୍ବରରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ସେ ନନ୍ଦୀଗ୍ରାମରେ ସିଧାସଳଖ ମମତାଙ୍କୁ ୧୯୫୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିରୋଧୀ ଦଳ ନେତା ହୋଇଥିଲେ।

୨୦୨୬ ନିର୍ବାଚନ ଶୁଭେନ୍ଦୁଙ୍କ ପାଇଁ ଏକ ‘କର ବା ମର’ ପରିସ୍ଥିତି ଥିଲା। ସେ ଏଥର ଗୋଟିଏ ନୁହେଁ, ବରଂ ଦୁଇଟି ଆସନ ନିଜର ଗଡ଼ ନନ୍ଦୀଗ୍ରାମ ଏବଂ ମମତାଙ୍କ ଗଡ଼ ଭବାନୀପୁରରୁ ଲଢ଼ିଥିଲେ। ସେ ନନ୍ଦୀଗ୍ରାମରେ ଟିଏମ୍‌ସିର ପବିତ୍ର କରଙ୍କୁ ଏବଂ ଭବାନୀପୁରରେ ଖୋଦ୍ ମମତାଙ୍କୁ ବିପୁଳ ଭୋଟ୍‌ରେ ପରାସ୍ତ କରି ବେଙ୍ଗଲ ରାଜନୀତିର ଏକମାତ୍ର ବାହୁବଳୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି।

ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ (୨୦୨୧ ସତ୍ୟପାଠ ଅନୁଯାୟୀ) ରିପୋର୍ଟ ମୁତାବକ, ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୯.୩୧ ଲକ୍ଷ ଟଙ୍କା। ୨୦୧୯-୨୦ ଆର୍ଥିକ ବର୍ଷରେ ତାଙ୍କର ଆୟକର ରିଟର୍ଣ୍ଣ ଅନୁଯାୟୀ ବାର୍ଷିକ ଆୟ ପ୍ରାୟ ୧୧ ଲକ୍ଷ ଟଙ୍କା ଥିଲା। ତାଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଜମା ରାଶି, ଜାତୀୟ ସଞ୍ଚୟ ପତ୍ର ଏବଂ ମେଦିନୀପୁର ଅଞ୍ଚଳରେ କିଛି ଚାଷ ଓ ବାସଯୋଗ୍ୟ ଜମି ରହିଛି। ଅର୍ଥାତ୍ ତାଙ୍କର ବ୍ୟାଙ୍କ୍ ବାଲାନ୍ସ ଅପେକ୍ଷା ‘ରାଜନୈତିକ ପୁଞ୍ଜି’ ଯଥେଷ୍ଟ ଅଧିକ ବୋଲି ସ୍ପଷ୍ଟ ଜଣାପଡ଼େ।

ଶୁଭେନ୍ଦୁ ଅଧିକାରୀ ଏବେ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ରେସରେ ସେ ସବୁଠାରୁ ଆଗରେ ରହିଛନ୍ତି।

Leave A Reply

Your email address will not be published.