Latest Odisha News

BREAKING NEWS

ବଣିକ୍ କୋଚିଂ ସେଣ୍ଟର ନାଁରେ ଟିକସ ଠକେଇ ଅଭିଯୋଗ, ଏଠି ବି ବିଜେଡି ଲିଙ୍କ୍ ବାରିଲେ ବିରୋଧୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ନାଁରେ କୋଟି କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ। ଆଉ ଏହି ଅଭିଯୋଗ ଆସିଛି ଆଇଏଏସ, ଓଏଏସ ପରୀକ୍ଷା ହେଉ ବା ରେଲଓ୍ବେ ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଅନ୍ୟତମ ପସନ୍ଦର କୋଚିଂ ସେଣ୍ଟର ବଣିକ କୋଚିଂ ସେଣ୍ଟର ନାଁରେ। ରାଜଧାନୀରେ ଥିବା ଏହି କୋଚିଂ ସେଣ୍ଟରର ସାରା ଓଡ଼ିଶାରେ ଗୋଟିଏ ବଡ଼ ନାଁ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତକାଲି ବିଳମ୍ବିତ ରାତିରେ ଜିଏସଟି ଟିମ୍ ଆସି ଏହି ଶିକ୍ଷାନୁଷ୍ଠାନରେ ଚଢାଉ କରିଥିଲା।

ପ୍ରାୟ ୧୮ ଘଣ୍ଟାରେ ୩୦ ଜଣ ଅଫିସର ଆସି ସମସ୍ତ ନଥିପତ୍ର ଦେଖିଛନ୍ତି। ଯେଉଁଥିରୁ ପ୍ରାରମ୍ଭିକ ଭାବେ ୨ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା କୁହାଯାଉଛି। ଏବେ ଏହି ଶିକ୍ଷାନୁଷ୍ଠାନ ମାଲିକ ହେଉଛନ୍ତି ସୁବ୍ରତ ଛାଟୋଇ। ଯିଏକି ଶାସକ ଦଳର ଜଣେ ଅନ୍ୟତମ ପ୍ରମୁଖ ନେତା। ତେବେ ଶିକ୍ଷାନୁଷ୍ଠାନଟି ଜିଏସଟି ଠକେଇ କରୁଛି ବୋଲି ଜିଏସଟି ଟିମ୍ କିଭଳି ଜାଣିଲା ତାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ପ୍ରଥମେ ଜିଏସଟିର ଏଡିଜି ଦେବାଶିଷ ସାହୁ ଅଭିଭାବକ ହୋଇ ଆସି ଶିକ୍ଷାନୁଷ୍ଠାନର କୋର୍ସ ଫି  ଏବଂ ଅନ୍ୟାନ୍ୟ ବାବଦରେ ପଚାରି ବୁଝିଥିଲେ। ଏହାପରେ ଟିମ୍ ଆଣି ହଠାତ ରେଡ୍ କରିଥିଲେ। ଏବେ ସୁବ୍ରତ ଛାଟୋଇଙ୍କୁ ମଧ୍ୟ ସମନ କରାଯାଇ କିଛି ଆବଶ୍ୟକ ତଥ୍ୟର ସୂଚନା ଦେବାକୁ କୁହାଯାଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଶିକ୍ଷାନୁଷ୍ଠାନ କୋର୍ସ ଫି ଏବଂ ଷ୍ଟଡି ମେଟେରିଆଲ ବାବଦକୁ ଟଙ୍କା ନେଉଥିଲା। କୋର୍ସ ଫିରେ ଜିଏସଟି ନିଆଯାଉଥିଲା କିନ୍ତୁ ଷ୍ଡଡି ମେଟେରିଆଲରେ କୌଣସି ପ୍ରକାର ଗଫଲତି ଥିବା ଜାଣିବାକୁ ପାଇଛି ଜିଏସଟି ଟିମ୍ । ଏହି ସୂଚନା ଦେଇଛନ୍ତି ଦେବାଶିଷ ସାହୁ। ଆଗକୁ ୫ ବର୍ଷର ହିସାବ କିତାବ ଦେଖାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ନବୀନ ପଟ୍ଟନାୟକ ସରକାର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଏହି ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ଚାକିରି ସୁନିଶ୍ଚିତ କରାଯାଉଛି। ବିଜେଡି ଆଇଟି ସେଲର ସଦସ୍ୟ ହେଉଛନ୍ତି ବଣିକ ସିଏମଡି ସୁବ୍ରତ ଛାଟୋଇ। ରାଜ୍ୟର ସମସ୍ତ ଜାଲ୍ ନିଯୁକ୍ତି ମାମଲାରେ ବିଜେଡିର ହାତ ରହିଛି। ଏହି ପ୍ରସଙ୍ଗ ବିଧାନସଭାରେ ଉଠିବ ବୋଲି ସାଲୁଜା କହିଛନ୍ତି। ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମଧ୍ୟ କଂଗ୍ରେସ ଦାବି କରିଛି।

ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ଜିଏସଟି ବିଭାଗ ଚଢ଼ଉ କରିବା ପୂର୍ବରୁ ବିଭିନ୍ନ ସୂତ୍ରରୁ ସୂଚନା ନେଇଥିବ ନିଶ୍ଚୟ। ଏହା ପଛରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥାଇନପାରେ।

ଶାସକ ବିଜେଡିର ବିଧାୟକ ଭାଗିରଥୀ ସେଠୀ ଅନୁଷ୍ଠାନର ମାଲିକାନା ସମ୍ପର୍କରେ ଜାଣିନଥିବା କହିଛନ୍ତି। ସେ କହିଛନ୍ତି, ବାଣିକ ଇନଷ୍ଟିଚ୍ୟୁଟ୍ ସୁବ୍ରତ ଛାଟୋଇଙ୍କ ମାଲିକାନାରେ ଅଛି ନା ନାହିଁ ମୁଁ ଜାଣିନି। ନିର୍ବାଚନ ସମୟରେ ହେଉ ଅବା ନିର୍ବାଚନ ପରବର୍ତ୍ତୀ ସମୟରେ ହେଉ ଚଢାଉ ଜାରି ରହିଛି। ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ ଦଣ୍ଡ ଦିଆଯିବ ବୋଲି ବିଧାୟକ କହିଛନ୍ତି।

ତେବେ ଏନେଇ ଛାଟୋଇ କୌଣସି ପ୍ରକାର ପ୍ରତିକ୍ରିୟା ରଖିନାହାନ୍ତି।

Leave A Reply

Your email address will not be published.