Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ପାୱାର ପ୍ଲେରେ ବୋଲିଂ, ଫିନିଶରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତ ତାର ଦଳ ଘୋଷଣା କରିଛି । ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଟି୨୦ ବିଶ୍ୱକପ ଜିତିଥିଲା । ଏହା ପରଠାରୁ ଟିମ ଇଣ୍ଡିଆ ଆଉ ଟାଇଟଲ ହାସଲ କରିପାରି ନାହିଁ । ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ପରେ ପ୍ରଶଂସକମାନେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏଥର ଟାଇଟଲ ବ୍ୟତୀତ ଆଉ କିଛି ଆଶା କରୁ ନାହାନ୍ତି । କାଗଜ କଲମରେ ମନୋନୀତ ଦଳ ଏକ ଶକ୍ତିଶାଳୀ ଟିମ ଭାବେ ପରିଲକ୍ଷିତ ହେଉଛି । ଆଇପିଏଲରେ ବୁଡି ରହୁଥିବା ଟିମ ଇଣ୍ଡିଆର ଅଧିକାଂଶ ଖେଳାଳି ଟି୨୦ ଗେମକୁ ଭଲ ଭାବେ ପଢ଼ି ପାରିଛନ୍ତି । ଏହା ମାଧ୍ୟମରେ ଅନେକ ଷ୍ଟାର ଖେଳାଳି ସମ୍ମୁଖକୁ ଆସୁଛନ୍ତି । ଆସନ୍ତୁ ନଜର ପକାଇବା ଏଥର ଭାରତୀୟ ଦଳର କ୍ଷମତା ଓ ଦୁର୍ବଳତା ଦିଗ ଉପରେ.. । ୬ ବ୍ୟାଟ୍ସମ୍ୟାନ, ୪ ଅଲରାଉଣ୍ଡର ଓ ୫ ବୋଲର୍ସଙ୍କୁ ଦଳରେ ସାମିଲ କରାଯାଇଛି ।

ଏହା ମଧ୍ୟରେ ୧୦ରୁ ୭ଜଣ ବ୍ୟାଟ୍ସମ୍ୟାନ ୨ ବର୍ଷ ହେବ ଟି୨୦ କ୍ରିକେଟରେ ୧୪୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ ସଂଗ୍ରହ କରିଛନ୍ତି । ବିଶ୍ୱ କ୍ରିକେଟର ୨ ଶ୍ରେଷ୍ଠ ଅନୁଭବୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି, ରୋହିତ ଶର୍ମାଙ୍କଠାରୁ ବହୁତ କିଛି ଆଶା କରାଯାଉଛି । ଏହା ସେମାନଙ୍କ ଶେଷ ଟି୨୦ ବିଶ୍ୱକପ କହିଲେ ଭୁଲ ହେବନି । ଉଭୟ ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିଛନ୍ତି । ସେହିପରି ଦୁଇ ଟପ ଖେଳାଳି ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ଓ ବୋଲିଂରେ ଯଶପ୍ରୀତ ବୁମରାହ ଭାରତର ମୂଖ୍ୟ ଅସ୍ତ୍ର ହେବେ । ସ୍ପିନର କୂଲଦୀପ ଯାଦବ ମଧ୍ୟ ଭଲ ଫର୍ମରେ ଅଛନ୍ତି ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲ ଦଳ ସହିତ ଅଛନ୍ତି । ସମସ୍ତ ପରିସ୍ଥିତିରେ ଖେଳିବା ଦକ୍ଷତା ସେମାନଙ୍କର ରହିଛି । ଚୂଡାନ୍ତ ଏକାଦଶ ଚୟନ କଲା ବେଳେ ରୋହିତଙ୍କୁ ମ୍ୟାଚ ଏବଂ ପିଚ ଅନୁସାରେ ଭଲ ବିକଳ୍ପ ମିିଳିପାରିବ । ଓଭରାଲ ୧୦ରୁ ୭ଜଣ ବ୍ୟାଟ୍ସମ୍ୟାନ ଦ୍ରୁତ ବେଗରେ ରନ ସଂଗ୍ରହ କରିବା ଦକ୍ଷତା ରଖିଛନ୍ତି । ଇଂଲଣ୍ଡ ଟିମ ଏଥର ୭ ଅଲରାଉଣ୍ଡରଙ୍କୁ ଦଳରେ ଚୟନ କରିଛି । ଟି୨୦ରେ ଫିନିଶରଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ।

ରିଷଭ ପନ୍ତ, ଶିବମ, ହାର୍ଦ୍ଦିକ, ଅକ୍ଷର ଓ ରବୀନ୍ଦ୍ରଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । ଦୁବେଙ୍କ ଷ୍ଟ୍ରାଇକ ରେଟ ୧୭୦ରୁ ଅଧିକ ଥିବା ବେଳେ ଅନ୍ୟ ୩ଜଣ ନିକଟରେ ସେ ଭଳି କିଛି ଖାସ ପ୍ରଦର୍ଶନ କରି ନାହାନ୍ତି । ରିଙ୍କୁ ସିଂଙ୍କ ଅଭାବ ପରିଲକ୍ଷିତ ହେବ ବୋଲି ଅନୁମାନ କରାଯାଉଛି । ଭାରତର ଲୋୟର ଅର୍ଡର ଟି୨୦ରେ ବିଶ୍ୱର ସବୁଠାରୁ ଖରାପ କହିଲେ ଭୁଲ ହେବନି । କୂଲଦୀପ, ବୁମରାହ ଓ ଅର୍ଶଦୀପଙ୍କ ନିକଟରୁ ବ୍ୟାଟିଂରେ କିଛି ଆଶା କରିବା ମୂର୍ଖାମୀ ହେବ । ଜାଡେଜାଙ୍କ ବ୍ୟାଟିଂ ମଧ୍ୟ ବହୁତ ଧୀମା ରହୁଛି ।

ସେହିପରି ବୁମରାହଙ୍କ ସାଥୀ ଭାବେ ଅର୍ଶଦୀପ, ହାର୍ଦ୍ଦିକ ଓ ସିରାଜଙ୍କ ଉପରେ ପେସ ବୋଲିଂ ଦାୟିତ୍ୱ ରହିବେ । ୩ଜଣଙ୍କ ଇକୋନୋମିକ ରେଟ ୮ରୁ ଅଧିକ । ପାୱାର ପ୍ଲେ ରନ ରୋକିବା ଏବଂ ଶେଷ ଭାଗରେ ଦ୍ରୁତ ବେଗରେ ରନ ସଂଗ୍ରହ କରିବା ଭାରତ ପାଇଁ ବଡ ଚ୍ୟାଲେଂଜ ହେବ । ୧୯୮୩ ପରେ ଟି୨୦ ବିଶ୍ୱକପ ଓ ଦିନିକିଆ ୱାର୍ଲ୍ଡକପ ଜିତିବାରେ ଯୁବରାଜ ସିଂଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଏବେ ଦଳରେ ଯୁବିଙ୍କ ଭୂମିକା ତୁଲାଇବା ପରି ଖେଳାଳି ନାହାନ୍ତି । ତଥାପି ଏଥର ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ଜିତି ପ୍ରଶଂସକ ଆଶା ପୂରଣ କରିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.