Latest Odisha News

BREAKING NEWS

ଘଣ୍ଟାଏ ଧରି ଆକାଶରେ ଚକ୍କର ମାରିଲା ବିମାନ, ୩ ଥର ଅବତରଣ ବିଫଳ

ନୂଆଦିଲ୍ଲୀ: ଭାବନ୍ତୁ ଆପଣ ବିମାନରେ କୌଣସି ସ୍ଥାନକୁ ଯାତ୍ରା କରୁଛନ୍ତି । ଅଥଚ ବିମାନ ଅବତରଣ କରିପାରୁନାହିଁ । ପ୍ରାୟ ଗୋଟିଏ ଘଣ୍ଟା ଧରି ଅବତରଣ ଉଦ୍ୟମ କରି ବିଫଳ ହେଉଛି ବିମାନ । ତା’ପରର ଅବସ୍ଥା କଣ ହେବ ଆପଣଙ୍କର ? ନିଶ୍ଚୟ ମନରେ ଆଶଙ୍କା ସହ ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯିବ । ଏମିତି ହିଁ କିଛି ଘଟିଛି ଅହମଦାବାଦରୁ ଜୈସଲମର ଉଡ଼ାଣ କରିଥିବା ସ୍ପାଇସ୍ ଜେଟ୍ ବିମାନ ଯାତ୍ରୀଙ୍କ ସହ । ବିମାନଟି ଜୈସଲମରରେ ଅବତରଣ ପାଇଁ ୩ ଥର ଉଦ୍ୟମ କରି ବିଫଳ ହେବା ପରେ ଯାତ୍ରୀଙ୍କ ମଧ୍ୟରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା ।

ଅବତରଣ ପ୍ରୟାସ ବିଫଳ ପରେ ପ୍ରାୟ ଘଣ୍ଟାଏ ଧରି ବିମାନଟି ଆକାଶରେ ଚକ୍କର କାଟିଥିଲା । ପରେ ବିମାନ ଅହମଦାବାଦ ଫେରି ଆସି ସୁରକ୍ଷିତ ଲ୍ୟାଣ୍ଡିଂ କରିଛି । ପ୍ରାୟ ୨ ଘଣ୍ଟା ପରେ ଅନ୍ୟ ପାଇଲଟ ବିମାନକୁ ନେଇ ଜୈସଲମର ଉଡ଼ାଣ ଭରିଥିଲେ । ବିମାନଟି ଜୈସଲମରରେ ସୁରକ୍ଷିତ ଲ୍ୟାଣ୍ଡିଂ କରିଛି ।

ସୂଚନା ଅନୁସାରେ, ସ୍ପାଇସଜେଟ୍ ବିମାନ ଏସଜି ୩୦୧୨ ଅହମଦାବାଦରୁ ଜୈସଲମର ଅଭିମୁଖେ ଶନିବାର ଦିନ ପ୍ରାୟ ୧୨ଟା ୫ରେ ଉଡ଼ାଣ ଭରିଥିଲା । ପ୍ରାୟ ଦିନ ଗୋଟାଏ ବେଳେ ଜୈଲସମର ବିମାନବନ୍ଦର ନିକଟରେ ପହଞ୍ଚିଥିଲା ବିମାନ । ପାଇଲଟ ବିମାନକୁ ସୁରକ୍ଷିତ ଅବତରଣ ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ । ପରେ ଆଉ ଦୁଇ ଥର ଅଲଗା ଅଲଗା ଦିଗରୁ ଅବତରଣ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା ।

ଫଳରେ ବିମାନଟି ପ୍ରାୟ ଘଣ୍ଟାଏ ଧିର ଆକାଶରେ ଘୁରି ବୁଲିବା ପରେ ଅହମଦାବାଦ ଫେରି ଆସିଥିଲା । ୨ଟା ୪୦ରେ ଅହମଦାବାଦରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଥିଲା । ୨ ଘଣ୍ଟା ପରେ ଜୈସଲମର ଅଭିମୁଖେ ପୁଣି ବିମାନ ଉଡ଼ାଣ ଭରିଥିଲା । ସନ୍ଧ୍ୟା ୫ଟା ୧୫ରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲା ବିମାନ ।

Leave A Reply

Your email address will not be published.