Latest Odisha News

BREAKING NEWS

ସମୁଦ୍ରରେ ବୁଡ଼ିଯାଉଥିବା ସାଙ୍ଗକୁ ନୂଆ ଜୀବନ ଦେଲେ ୧୪ ବର୍ଷର ବାଳକ !

କେନ୍ଦ୍ରାପଡ଼ା: ସମୁଦ୍ରରେ ବୁଡ଼ିଯାଉଥିଲେ ସାଙ୍ଗ, ନିଜ ଜୀବନକୁ ବାଜି ଲଗାଇ ପହଁରି ପହଁରି ନିଜ ବନ୍ଧୁଙ୍କୁ ଉଦ୍ଧାର କରିଛନ୍ତି ଜଣେ ୧୪ ବର୍ଷର ନାବାଳକ । ଜଣେ ନାବାଳକଙ୍କ ଦ୍ୱାରା ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିବା ଘଟଣା ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି ।

ମିଳିଥିବା ସୂଚନାନୁଯାୟୀ, ରାଜନଗର ବ୍ଲକର ଏକ ବିଦ୍ୟାଳୟର କିଛି ଦଶମ ଶ୍ରେଣୀର ଛାତ୍ରମାନେ ନିକଟସ୍ଥ ପେଣ୍ଠ ସମୁଦ୍ର ବୁଲିବାକୁ ଯାଇଥିଲେ ।

ସମୁଦ୍ରରେ ସମସ୍ତ ବନ୍ଧୁମାନେ ଖେଳୁଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ବାଳକ ପୃଥ୍ୱୀରାଜ ବେହେରା ଏବଂ ଜ୍ଞାନରଞ୍ଜନ ଦାସ ପହଁରି ସମୁଦ୍ର ଭିତରେ ଅନେକ ଦୂରତାକୁ ଚାଲିଯାଇଥିଲେ । ସେଠାରେ ଅନ୍ୟ ସାଙ୍ଗମାନେ ଛିଡ଼ାହୋଇ ମୋବାଇଲରେ ଭିଡ଼ିଓ ସୁଟିଂ କରୁଥିଲେ ।

ଅଚାନକ ଏକ ପ୍ରଚଣ୍ଡ ଢେଉ ଆସିବା ଫଳରେ ପୃଥ୍ୱୀରାଜ ଗଭୀର ସମୁଦ୍ର ଭିତରେ ବୁଡ଼ି ଯାଇଥିଲେ । ସମସ୍ତ ବନ୍ଧୁମାନେ ଉପାୟଶୂନ୍ୟ ହୋଇ ଛିଡ଼ାହୋଇଥିବା ବେଳେ ଜ୍ଞାନରଞ୍ଜନ ପହଁରି ପହଁରି ସାଙ୍ଗକୁ ବୁଡ଼ିଯାଇଥିବା ପୃଥ୍ୱୀରାଜଙ୍କୁ ଜଳରୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ କଷ୍ଟ କରି ନିଜେ ବାଲିପଠାକୁ ନେଇ ଆସିବାକୁ ସକ୍ଷମ ହୋଇଥିଲେ ।

ଏବେ ସୋସିଆଲ୍ ମିଡ଼ିଆରେ ଏହି ଭିଡ଼ିଓଟି ଭାଇରାଲ୍ ହୋଇଯାଇଛି । ସୋସିଆଲ୍ ମିଡ଼ିଆରେ ସବୁ ମହଲରୁ ଜ୍ଞାନରଞ୍ଜନଙ୍କୁ ପ୍ରଚୁର ପ୍ରଶଂସା ମିଳିବାରେ ଲାଗିଛି ।

Leave A Reply

Your email address will not be published.