Latest Odisha News

BREAKING NEWS

ପାଣି ଭର୍ତ୍ତି ପଥର ଖାଦାନରେ ପଡି ନାବାଳକ ନିଖୋଜ

ବାଙ୍ଗିରିପୋଷି: ଠାକୁରାଣୀ ପାହାଡ ଇଲାକାରୁ ଆସିଲା ଦୁଃଖଦ ଖବର । ପାହାଡରେ ସୃଷ୍ଟି ହୋଇଥିବା କୃତ୍ରିମ ଗାତରେ ବୁଡି ନାବାଳକ ନିଖୋଜ । ପଥର ଖାଦାନର ଗଭୀର ଗାତରେ ପାଣି ଭର୍ତ୍ତି ଥିବାରୁ ପିଲାଟିର ସନ୍ଧାନ ମିଳିପାରିନାହିଁ । ନିଖୋଜ ନାବାଳକ କେଶରପୁର ଗାଁର ମଙ୍ଗଳ ସରେନ । ଗତକାଲି ଘଟଣାସ୍ଥଳରେ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ ବି ପିଲାଟିର ସନ୍ଧାନ ମିଳିପାରିନାହିଁ ।

ମିଳିଥିବା ରିପୋର୍ଟ ଅନୁଯାୟୀ ବେକବୋନ୍ ନାମକ ଏକ କମ୍ପାନୀକୁ ଏହି ଖାଦାନ ଲିଜ୍ ରୂପେ ମିଳିଥିଲା । ତେବେ ବର୍ତ୍ତମାନ ଏହା ବନ୍ଦ ରହିଛି । ଏହି ଖାଦାନରୁ ହଜାରହଜାର ଟ୍ରିପ୍ ପଥର ବାହାର କରାଯିବା ପରେ ୫୦ରୁ ୬୦ ଫୁଟ୍ ଗଭୀର ଗାତ ସୃଷ୍ଟି ହୋଇଥିଲା ।

ସରକାରୀ ନିୟମ ଅନୁଯାୟୀ କୌଣସି ପଥର ଖାଦାନରୁ ୬ ଫୁଟ୍‌ରୁ ଅଧିକ ଗଭୀର ଗାତ ଖୋଳାଯାଇପାରିବ ନାହିଁ । ପଥର ଖୋଳାଯିବା ପରେ ସେହି ସ୍ଥାନକୁ ମାଟି କିମ୍ବା ବାଲି ଯୋଗେ ପୋତାଯିବାର ନିୟମ ରହିଛି । ହେଲେ ଲିଜ୍ ନେଉଥିବା କମ୍ପାନୀମାନେ ସରକାରୀ ନିୟମକୁ ବେଖାତିର କରି ଅତ୍ୟଧିକ ଗଭୀର ଗାତ ଖୋଳିବା ସହ ସେଗୁଡିକୁ ଖୋଲା ଛାଡିଦେଉଛନ୍ତି ।

ଫଳରେ ଅକାଳରେ ସେହି ଗାତରେ ପଡି ଅନେକ ଜୀବନ ନଷ୍ଟ ହେଉଛନ୍ତି । ସ୍ଥାନୀୟ ଲୋକେ ଗରିବ ଆଦିବାସୀ ହୋଇଥିବାରୁ ବଡବଡିଆଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେମାନଙ୍କର ସାହାସ ନାହିଁ । ଅନ୍ୟପଟେ ନିଖୋଜ ନାବାଳକ ପାଇଁ ଆଜି ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Leave A Reply

Your email address will not be published.