ନୂଆଦିଲ୍ଲୀ: ବିହାର ରାଜନୀତିରେ ସରିଲା ଲାଲୁଙ୍କ ଯୁଗ । ଏବେ ବାପାଙ୍କ ବଦଳରେ ଆରଜେଡି ଦାୟିତ୍ୱ ସମ୍ଭାଳିବେ ପୁଅ ତେଜସ୍ବୀ ଯାଦବ। ଏନେଇ ଆଜି ଆରଜେଡି ଜାତୀୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । ତେଜସ୍ବୀ ହୋଇଛନ୍ତି ରାଷ୍ଟ୍ରୀୟ ଜନତା ଦଳର ସଭାପତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦରେ ଥିଲେ ତେଜସ୍ବୀଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ଦଳର ସଭାପତି ସହ ରାଷ୍ଟ୍ରୀୟ ସଭାପତି ମଧ୍ୟ ରହିଥିଲେ ଲାଲୁ ।
ଦଳୀୟ ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଜାତୀୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିଲା । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଆଲୋକ ମେହେଟ୍ଟା ଦଳର ସମ୍ବିଧାନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିରେ ତେଜସ୍ବୀଙ୍କୁ ଆରଜେଡିର ଭାର ଦିଆଯାଇଛି । ଅର୍ଥାତ ଏବେ ଆରଜେଡି ତେଜସ୍ୱୀଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବାକୁ ଯାଉଛି । ଚଳିତବର୍ଷ ଶେଷ ଆଡ଼କୁ ବିହାରରେ ବିଧାନସଭା ନିର୍ବାଚନ ହେବାର ଅଛି । ତେଣୁ ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନ ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ଲଢ଼ିବ ଆରଜେଡି ।
ଲାଲୁ ପ୍ରସାଦଙ୍କ ସହ ମିଶି ଦଳର ସମସ୍ତ ନିଷ୍ପତ୍ତି ନେବେ ତେଜସ୍ବୀ । ଟିକେଟ ବଣ୍ଟନଠାରୁ ଆରମ୍ଭ କରି ଦଳୀୟ ସମ୍ବିଧାନରେ ସଂଶୋଧନ ସବୁଥିରେ ରହିବ ତେଜସ୍ବୀଙ୍କ କଥା । ତେଜସ୍ବୀ ଏବେ ବିହାର ବିଧାନସଭାର ବିରୋଧୀ ଦଳ ନେତା ଥିଲେ । ପୂର୍ବରୁ ସେ ବିହାରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ ।
Comments are closed.