Latest Odisha News

BREAKING NEWS

ଅସହ୍ୟ ହେଲାଣି ତାପମାତ୍ରା; ଏପ୍ରିଲ ୨୦ ସୁଦ୍ଧା ୪୯ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭୁବନେଶ୍ବର: ପାରଦ ବୃଦ୍ଧି କାରଣରୁ ରାଜ୍ୟରେ ଅସହ୍ୟ ଗରମ ଅନୁଭୁତ ହେଉଛି । ରାଜ୍ୟରେ ତାପମାତ୍ରା ୪୩ ଡିଗ୍ରି ଅତିକ୍ରମ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ଆହୁରି ବଢ଼ିବାର ସମ୍ଭାବନା ରହିଛି । ସେପଟେ, ସୋମବାର ଦିନ ୨.୩୦ଟା ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇ ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି ।

ରାଜ୍ୟରେ ଦୁଇ ଦିନ ହେଲା ତାପମାତ୍ରାରେ ପ୍ରବଳ ବୃଦ୍ଧି କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ, ଲୋକମାନଙ୍କର ଅସୁସ୍ଥତା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏପ୍ରିଲ ୨୦ ତାରିଖ ସୁଦ୍ଧା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୯ ଜଣ ଲୋକ ରୌଦ୍ରତାପଜନିତ କାରଣରୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ସାମିଲ ଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି ।

ଡା. ନୀଳକଣ୍ଠ ମିଶ୍ର ଆହୁରି କହିଛନ୍ତି ଯେ, ଦେବଗଡ଼ରେ ୬ ଜଣ, ଖୋର୍ଦ୍ଧା, ମୟୂରଭଞ୍ଜ ଓ କେନ୍ଦୁଝରରେ ଜଣେ ଲେଖାଏଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏପ୍ରିଲ ୨୨ରୁ ହିଟୱେଭ୍ ସତର୍କତା ଜାରି କରାଯାଇଛି । ଏପ୍ରିଲ ୨୩-୨୫ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ହୋଇପାରେ ।

Comments are closed.