ଭୁବନେଶ୍ୱର: ଗତ କିଛି ଦିନ ରାଜ୍ୟରେ ଅଚାନକ ଶୀତ ଉଭାନ ହୋଇଯାଇଥିଲା। ମାଘ ମାସରେ ପ୍ରଚଣ୍ଡ ତାତିରେ ସିଝୁଥିଲା ସାରା ଓଡିଶା। ଶୀତ ବଦଳରେ କିଛି ଦିନ ହେବ ଅଧିକ ଖରା ହେବାରେ ଲାଗିଥିଲା। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ପାଇଛି ତାପମାତ୍ରା। ପୂର୍ବ ଉପକୂଳ ଓ ଉତ୍ତର ଆଭ୍ୟନ୍ତର ଓଡ଼ିଶାରେ ଦିନ ତାପମାତ୍ରା ସ୍ବାଭାବିକ ରହୁଛି।
ପାଗରେ ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବା ନେଇ ଆଗୁଆ ଆକଳନ କରିଛି ପାଣିପାଗ ବିଭାଗ। ଦିନ ତାପମାତ୍ରା ସହ ରାତି ତାପମାତ୍ରା ହ୍ରାସ ହୋଇଛି। ଯାହାର ପ୍ରଭାବରେ ରାଜ୍ୟରେ ହାଲୁକା ଶୀତ ଅନୁଭବ ହେଉଛି। ଆଜି ଗଞ୍ଜାମ ଗଜପତି, ନୟାଗଡ଼, ପୁରୀରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି। ୧୧ ତାରିଖ ପରେ ତାପମାତ୍ରା ବଢିବା ନେଇ ଆକଳନ କରାଯାଇଛି ।
ସେହିପରି ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଏଥିସହ ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ଆହୁରି ପ୍ରଶମିତ ହୋଇଛି। ପରିଣାମ ସ୍ବରୂପ ଓଡ଼ିଶାର କେତେକ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ତଳ ମୁହାଁ ହୋଇଛି ।
Comments are closed.