Latest Odisha News

BREAKING NEWS

ଭଦ୍ରକରେ ଅବାଧ ଗଂଜେଇ ଚାଲାଣ, ୪ ଗିରଫ

ଭଦ୍ରକ: ପରିସୀମାରେ ବେଶ ଛୋଟ ଭଦ୍ରକ ଜିଲ୍ଲା । ହେଲେ ଏଠି ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାରବାର । ମାତ୍ର କିଛି ଦିନ ପୂର୍ବରୁ ବନ୍ତ ଛକରେ ବ୍ରାଉନ୍ ସୁଗାର ଓ ଆସ୍କା ଫୋର୍ଟ ମଦ ଜବତ ହୋଇଥିଲା । ହେଲେ ଗତକାଲି ଗଂଜେଇ ଚାଲାଣ କାରବାରରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଭଦ୍ରକ ଗ୍ରାମାଂଚଳ ପୋଲିସ ଗିରଫ କରିଛି ।

ରିପୋର୍ଟ ଅନୁଯାୟୀ ଏକ ଗଂଜେଇ ଭର୍ତ୍ତି ଗାଡି ଗଂଜାମରୁ ଭଦ୍ରକ ଆସୁଥିବା ପୋଲିସକୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଖବର ଅନୁଯାୟୀ ଗତକାଲି ରାତିରେ ଏକ ଧଳା ରଙ୍ଗର ସୁଜୁକି ସ୍ୱିଫ୍ଟ ଗାଡିକୁ ଗ୍ରାମାଂଚଳ ପୋଲିସ ତନଖି ପାଇଁ ଚରମ୍ପା କେନାଲ୍ ରୋଡ ନିକଟରେ ଅଟକାଇଥିଲା । ଗାଡିଟି ଗଂଜାମରୁ ଭଦ୍ରକ ଆସିଥିବା ଜାଣିପାରି ପୋଲିସ ଯାଂଚ କରିଥିଲା । ଖୋଳତାଡରେ ପୋଲିସକୁ ଗାଡିରୁ ମିଳିଥିଲା ୧୦ କି.ଗ୍ରା ଗଂଜେଇ, ଗୋଟିଏ ଖଣ୍ଡା, ତିନୋଟି ଛୁରା, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ମୋବାଇଲ ଓ କିଛି ଆପତ୍ତିଜନକ ସାମଗ୍ରୀ ।

ମିଳିଥିବା ଗଂଜେଇ, ଗାଡି ଓ ହତିଆରକୁ ପୋଲିସ ଜବତ କରିବା ସହ ସଂପୃକ୍ତ ୪ ଅଭିଯୁକ୍ତ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ହେଲେ ଗାଡିର ଡ୍ରାଇଭର ସଦିଶିବ ଭୋଳ(କଟକ), ଗୁଣ୍ଡା ଓରଫ ଲ କ୍ଷ୍‌ମୀଧର ସେଠୀ (ଭଦ୍ରକ), ଆଲୋକ ସାମଲ (ଭଦ୍ରକ) ଓ ଲିଟୁ ଓରଫ ମାନସ ମହାନ୍ତି (ଭଦ୍ରକ) । ତେବେ ଖାସ କରି ଲ କ୍ଷମୀଧର ସେଠୀ ବିରୋଧରେ ପୂର୍ବରୁ ଅନେକ ଅପରାଧିକ ମାମଲା ଥିବାବେଳେ ଏକ ଟ୍ରିପଲ୍ ମର୍ଡର୍ କେସ୍‌ରେ ସେ ବେଲରେ ମୁକୁଳିଥିବା ଜଣାପଡିଛି ।

ସମସ୍ତ ଅଭିଯୁକ୍ତଙ୍କୁ ଭଦ୍ରକ ଗ୍ରାମାଂଚଳ ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଅଭିଯୁକ୍ତଙ୍କୁ ଗଂଜେଇ ଯୋଗାଉଥିବା ମାଷ୍ଟର ମାଇଣ୍ଡକୁ ଧରିବା ଲାଗି ଆରମ୍ଭ ହୋଇସାରିଛି ସର୍ଚ୍ଚ ମିଶନ୍ ।

Leave A Reply

Your email address will not be published.