ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୦
ହସର ଏକ ସତ୍ତାପରକ ପରିଭାଷା ରହିଛି ଏବଂ ଏହାକୁ ନେଇ ଆମର ସମ୍ଭବତଃ କାହାର କୌଣସି ହୁଏତ ସେମିତି ସନ୍ଦେହ ନଥିବ।
ଅବଶ୍ୟ ଅକାରଣରେ ସବୁବେଳେ ହସୁଥିବା ଏବଂ ଯେତେବେଳେ ଯାହା ଘଟୁଛି ତାହାର ସମର୍ଥନରେ ମୁଣ୍ଡ ଟୁଙ୍ଗାରି ଭାଗ୍ୟବାଦୀ କି ରାଜାବାଦୀ ହସ ହସୁଥିବା ଜନ ସମୂହକୁ ଏଇ ବିଚାରର ପ୍ରପଞ୍ଚକୁ ଆଣିବା ଆଦୌ ଉଚିତ ନୁହଁ।
ସ୍ଥିତାବସ୍ଥା ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ହୋଇ ଅଥବା ଚୋରୀନାରୀ ନକରି ଜଣେ ହସୁଛି, ହସିପାରୁଛି ତାହା ହିଁ ପୃଥିବୀର ସବୁଠାରୁ ବଡ ହସକଥା ଏବଂ ସବୁଠାରୁ ବଡ ଦୁଃଖର କଥା ବି ।
ସେ ଯାହାହେଉ ହସକୁ ଭେଟିବା ବେଳେ ଆମ ଆଗରେ ପ୍ରଥମରେ ଯେଉଁ ପ୍ରଶ୍ନ ଆସିବ ତାହା ହେଉଛି, ଗୋଟିଏ ରାଜ୍ୟରେ କିଏ ହସେ ? ରାଜା ନା ପ୍ରଜା ? ଯଦିଓ ପ୍ରଜାଙ୍କର ହସକୁ ସୁନିଶ୍ଚିତ କରି ରଖିବା ବା ଯାହା ଆମର ଏକ ଆଦ୍ୟ ଗ୍ରନ୍ଥ “ଶତପଥ ବ୍ରାହ୍ମଣ” ରେ ଲିପିବଦ୍ଧ ରହିଛି,ସମାଜର ପ୍ରଚଳିତ ବ୍ୟବସ୍ଥା ଏବଂ ଅବଧାରଣାକୁ ଅର୍ଥାତ୍ “ଆପଦ ଧର୍ମ” କୁ ଧାରଣ କରି ରଖିବା ହେଉଛି ରାଜାର କର୍ତ୍ତବ୍ୟ। ସମାଜରେ ” ଆପଦ ଧର୍ମ ” ହେଉଛି ଏକ ସାମାଜିକ ସଂହତି ତାହା ବୈଦିକ କାଳରୁ ରାଜା ଯେତେ ସ୍ୱୈରାଚାରୀ ହେଉନା ତାହାର କ୍ଷମତାକୁ ସନ୍ତୁଳନ ତଥା ନିୟନ୍ତ୍ରଣ କରି ଆସିଛି । ରାଜାର ଚିରକାଳ ଭୟ ରହିଥାଏ ଏଇ ସାମାଜିକ ସଂହତି ବା “ଆପଦ ଧର୍ମ” କୁ। ରାଜାର ସ୍ୱୈରାଚାରିତାର କାରଣରୁ ଯେତେବେଳେ ଏହି ” ଆପଦ ଧର୍ମ” ର ବିଚଳନ ଘଟିଛି ସେତେବେଳେ ସମଗ୍ର ପ୍ରଜାକୂଳ ରାଜାର ବିରୁଦ୍ଧରେ ସଂଗ୍ରାମ କରିବା ସହିତ ତାହାର ସମସ୍ତ ଅଂହକାରକୁ ଦମନ କରି ଆସିଛନ୍ତି । ଇତିହାସ ତାହାର ପ୍ରମାଣ।
ଏଇ କଥା କହିବାର ଉଦ୍ଦେଶ୍ୟ , ସାମାଜିକ ସଂହତି ବା “ଆପଦ ଧର୍ମ” ହେଉଛି ପ୍ରଜାକୂଳର ପ୍ରତିକୀ ହସ । ଆଉ ଏଇ ହସକୁ ଅବିକୃତ ରଖିବାରେ ହିଁ ରହିଛି ରଜାର ହସ । ସେଇ ଭଳି କଥା ରାଜା କହିଥାଏ ଉଦାରତାର ତଥା ରାଜନୈତିକ ଔଚିତ୍ୟବୋଧକୁ ସାର୍ବଜନୀନ ଭାବରେ ଉପସ୍ଥାପିତ କରିବା ପାଇଁ ମାତ୍ର କ୍ଷମତାର ଅହଂକାର ତାହାର ନିଜର ହସକୁ ଏକ ଅଲିଖିତ ନିର୍ଦ୍ଦେଶନାମା ଭଳି ପ୍ରଜାଙ୍କ ଭିତରେ ଚାପି ଦେବାକୁ ଉଚିତ ମନେକରେ। ତେଣୁ ପ୍ରଜାଏ ହସନ୍ତି,ଅକାରଣରେ ହସିବା ଶ୍ରେୟସ୍କର ବୋଲି ତାହାକୁ ସେମାନଙ୍କର ନୀରବତାର ଆଉ ଏକ ନିର୍ଜଞ୍ଜାଳ ରୂପ ବୋଲି ଧରିନେଇଥାନ୍ତି ।
ଏଯାଏଁ ଯାହା ଉଲ୍ଲେଖ କରାଗଲା ତାହାକୁ ସରଳ ଭାବରେ କହିଲେ ଏପରି ହେବ : ରାଜାଙ୍କ ହସ ଆଉ ପ୍ରଜାଙ୍କ ହସ ଦୁଇଟି ଯାକର କିସମ ଭିନ୍ନ ଆଉ ରାଜାଙ୍କ ହସର ଶକ୍ତ ନିର୍ଦ୍ଦେଶନାମା ପ୍ରଜାଙ୍କ ମୁହଁରେ ଲାଗି ରହିଥାଏ ଶେଷ ରାତିର ଜହ୍ନ ଭଳି, ମଳିଛିଆ ହସଟିଏ ହୋଇ ।
ହସ ସମ୍ପର୍କରେ ସବୁଠୁ ଜଟିଳ କଥାଟି ହେଉଛି, ହସକୁ କେହି ଗମ୍ଭୀର ଭାବରେ ଗ୍ରହଣ କରନ୍ତି ନାହିଁ । ହସି ଦେବାର ଅର୍ଥ ହେଉଛି ଯେମିତି ଆମର ସମସ୍ତ ଗମ୍ଭୀର ମନନ ତଥା ବିଶ୍ଳେଷଣର ଅକସ୍ମାତ ଅପଘାତ ମୃତ୍ୟୁ । କୌଣସି କଥାର ପ୍ରତିକ୍ରିୟାରେ ଆମେ ଯଦି ହସି ଦେଲୁ ତାହାହେଲା ଯଦି ଆମର ହସଟି ଫିକା ତେବେ ଆମେ ସେ ବିଚାରର ସମର୍ଥକ ଯଦି ଆମର ହସଟି ଟିକିଏ ଉଗ୍ର ତେବେ ଆମେ ସେ ବିଚାରକୁ ଏଇ ହାସ୍ୟକର୍ମ ଦ୍ୱାରା ଫୁ କରି ଫୁଙ୍କି ଉଡାଇଦେଲୁ ନଭସ୍ଥଳକୁ।
ତେଣୁ ରାଜାଙ୍କ ହସରେ ମୁକ୍ତ ଭାବରେ ହସିବା ଭଳି ପ୍ରତିକ୍ରିୟାର ପ୍ରଦର୍ଶନରେ ପ୍ରଜା କ୍ଷମତାର ସମସ୍ତ କ୍ଷତାକ୍ତ ଅଭିଯୋଜନକୁ ଦେଖିଥାଏ ଆଉ ଯଥାସମ୍ଭବ ହସରୁ ନିରତ ରହିଥାଏ । ଅନ୍ୟପକ୍ଷରେ ରାଜା ବି ସ୍ୱୟଂ ସ୍ୱାଭାବିକ ଭାବରେ ହସିବା କାରଣରୁ ବୃହତ୍ତର ପ୍ରଜାପକ୍ଷରେ ତୁରନ୍ତ ଅସ୍ୱୀକୃତ ହେବାର ସମ୍ଭାବନାର ଭୟରେ ଏକ ପ୍ରକାର କବଳିତ ଥାଏ । ତେଣୁ ସେ ବି ହସରୁ ଏକ ପ୍ରକାର ଦୂରତ୍ୱରେ ଥାଏ ।
ତେଣୁ ଏଇଠି ଆମ ଆଗରେ ଯେଉଁ ରାଜ୍ୟର ପରିଦୃଶ୍ୟ ଆସୁଛି ସେଇଠି ରାଜା କି ପ୍ରଜା ଉଭୟେ ହସ କୁ ଏକ ଗୋପନ ଅଭ୍ୟାସ ଭଳି ମନେ କରିବାକୁ ଉଚିତ ମଣନ୍ତି ।
ତାହାହେଲେ ପୃଥିବୀରେ ସବୁ ହସକଥା ଆସେ କେମିତି,କାଳକ୍ରମରେ ସେଇସବୁ ରହିଯାଏ କେମିତି ?
ଏଇ ପ୍ରସଙ୍ଗଟି ବେଶ୍ ବ୍ୟାପକ।
ସଂକ୍ଷେପରେ କହିଲେ ଏଇଠି ରାଜା ଆଉ ତାଙ୍କର ଅନ୍ତରଙ୍ଗ ବିଦୂଷକ ଉଭୟଙ୍କର ସମ୍ପର୍କକୁ ବୁଝିବାକୁ ହେବ। କ୍ଷମତାର ବଳୟରେ ବେଳେବେଳେ ଅଣନିଃଶ୍ୱାସୀ ରାଜା ସ୍ୱାଭାବିକ ସାଧାରଣ ହେବାକୁ ଏକ ପ୍ରକାର ଆତ୍ମ ବିନୋଦନ ଭଳି ମନେକରିଥାଏ । ପ୍ରଜା ଯେମିତି ସବୁବେଳେ ନିଜର ଚାଲିଚଳଣରେ ରାଜାକୁ ଅନୁକରଣ କରିଥାଏ ଠିକ ସେହିପରି ରାଜା “ଅସମୋସିସ୍” ଭଳି ପ୍ରଜାର ଏକ ପ୍ରକାର ବିପ୍ରତୀପ ଅନୁକରଣ କରିଥାଏ। ଆଉ ରାଜାକୁ ଘଡିଏ ସାଧାରଣ ହେବାର ରିଲାକ୍ସସେସନ ର ସୁଖବୋଧ ପ୍ରଦାନ କରିଥାଏ ଏଇ ଭଳି ତାହାର ଦେହଲଗା ବିଦୂଷକ ।
କିନ୍ତୁ ରାଜା ଆଉ ବିଦୂଷକ ମଧ୍ୟରେ ହସକଥାକୁ ନେଇ ଯେଉଁ ଦ୍ୱନ୍ଦ୍ୱ କଥାରେ ଆମେ ଆଚ୍ଛନ୍ନ ହୋଇ ପଡୁଥାଉ ,ସେଇଠି ଅସଲରେ ରାଜା ହିଁ ସମସ୍ତ କାର୍ଯ୍ୟ କାରଣର ନିୟନ୍ତ୍ରକ । ରାଜା ଯେତିକି ଶୂନ୍ୟସ୍ଥାନ ବିଦୂଷକ ଦେଇଥାଏ ଠିକ୍ ସେତିକି ଜାଗାରେ ହିଁ ସେହି ହସକଥାଟି ଖେଳା ଯାଇଥାଏ। ରାଜା ସେଇଠି ଏକମାତ୍ର ଖେଳାଳୀ ଆଉ ଅମ୍ପାୟାର୍ ,ବିଦୂଷକ କେବଳ ଏକ ସହାୟକ । ରାଜା ଆମୋଦିତ ହେଲେ,ରାଜା ନିଜକୁ ଯେତିକି ନିର୍ବୋଧ ସାବ୍ୟସ୍ତ କରିବା ପାଇଁ ବାଟ ଛାଡିଥିବେ ସେହି ଲକ୍ଷ୍ମଣରେଖା ଟି ଅବିକୃତ ରହିଲେ ,ରାଜା ଶେଷରେ ବିଦୂଷକକୁ ମୃତ୍ୟୁଦଣ୍ଡ ବଦଳରେ ସୁନାମୋହର ଉପହାର ଦେବେ।
ରାଜା ଆଉ ବିଦୂଷକ ସମ୍ପର୍କର ସମସ୍ତ ହସକଥା ହେଉଛି ଅସଲରେ ରାଜାଙ୍କ ଉଦାରତାର ଗୋଟିଏ ଗୋଟିଏ ସାର୍ବଜନୀନ ଆଖ୍ୟାନ ସୂତ୍ର।
ଏଥର ଗୋଟିଏ ରାଜା ଆଉ ବିଦୂଷକର କାହାଣୀ। ଆପଣମାନେ ଏହା ବଦଳରେ ଯେ କୌଣସି ଏକ ରାଜା-ବିଦୂଷକର ଆମୋଦ କଥାକୁ ବାଛିନେଇ ପାରନ୍ତି ।
ତ୍ରୟୋଦଶ ଲୁଇ ଫ୍ରାନସର ରାଜା ଥିଲେ ।ତାଙ୍କର ସମୟକାଳ ଥିଲା ୧୪୯୮ ରୁ ୧୫୧୫ ଖ୍ରୀଷ୍ଟାବ୍ଦ । ତାଙ୍କର ପ୍ରିୟ ବିଦୂଷକର ନାଆଁ ଥିଲା ତ୍ରିବୁଲେତ୍ । ତାଙ୍କର ପ୍ରସିଦ୍ଧି ସାରା ଫ୍ରାନ୍ସରେ ବ୍ୟାପି ଯାଇଥିଲା କେବଳ ଗୋଟିଏ କାରଣ ଯୋଗୁ । ଦିନେ ତ୍ରିବୁଲେତ୍ ରାଜା ତ୍ରୟୋଦଶ ଲୁଇ ଙ୍କ ସହିତ ଏକ ଅଶୋଭନୀୟ ବ୍ୟବହାର କରିଥିଲେ । ସଚରାଚର ଏଇ ଭଳି ବ୍ୟବହାର ଦେଖାଯାଇନଥାଏ । ଦିନେ ତ୍ରିବୁଲେତ୍ ରାଜା ତ୍ରୟୋଦଶ ଲୁଇଙ୍କ ନିତମ୍ବରେ ଏକ ମୃଦୁ ଚପେଟାଘାତ କରିଥିଲେ। ଏଇ ଭଳି ଗୋଟିଏ ଘଟଣାରେ ରାଜା କ୍ଷୁବ୍ଧ ହୋଇ ତ୍ରିବୁଲେତ୍ ଙ୍କୁ ମୃତ୍ୟୁଦଣ୍ଡାଦେଶ ପ୍ରଦାନ କରିଥିଲେ ।
ସମସ୍ତ ବିଦୂଷକ କାହାଣୀରେ ରାଜାମାନେ ମୃତ୍ୟୁଦଣ୍ଡାଦେଶ ଜାରି କରିଥାନ୍ତି ମାତ୍ର ତାହା କେବେ କାର୍ଯ୍ୟକାରୀ ହେବାର ନଥାଏ ।
ଅବଶ୍ୟ ଏଇ ଫରାସୀ ରାଜା ତ୍ରୟୋଦଶ ଲୁଇ ଇଂଲଣ୍ଡର ଜଣେ ପ୍ରସିଦ୍ଧ ରାଜାଙ୍କ ପରି ନଥିଲେ। ଇଂଲଣ୍ଡର ସେଇ ରାଜା ଜଣକ ତାଙ୍କର ଚାରି ଜଣ କର୍ମଚାରୀଙ୍କୁ ତାଙ୍କର ନିତମ୍ବକୁ ସ୍ପର୍ଶ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ସେହି ପ୍ରସିଦ୍ଧ ବ୍ରିଟିଶ ନରପତି ପ୍ରାୟତଃ ଉଲ୍ଲେଖରେ ଥିବା ଫରାସୀ ସମ୍ରାଟ ତ୍ରୟୋଦଶ ଲୁଇ ଙ୍କର ସମସାମୟିକ ଥିଲେ। ତାଙ୍କର ନାଆଁ ହେଉଛି ହେନରୀ ଅଷ୍ଟମ। ତାଙ୍କର ରାଜୁତିକାଳ ଥିଲା ୧୫୦୯ ରୁ ୧୫୪୭ ଖ୍ରୀଷ୍ଟାବ୍ଦ । ହେନରୀ ଅଷ୍ଟମ ପରେ ଏତେ ମେଦବହୁଳ ହୋଇଯାଇଥିଲେ ଯେ ତାଙ୍କୁ ଶୌଚକର୍ମରେ ସାହାଯ୍ୟ କରିବା ପାଇଁ କେତେଜଣ ସହାୟକଙ୍କୁ ନିଯୁକ୍ତ କରାଯାଇଥିଲା। ସେହି ସହାୟକମାନେ ରାଜା ହେନରି ଅଷ୍ଟମଙ୍କୁ ଗୋଟିଏ ସ୍ୱତନ୍ତ୍ର ଷ୍ଟୁଲ୍ ରେ ଟେକି ଟେକି ଶୌଚାଗାରକୁ ନେଉଥିଲେ ଏବଂ ରାଜା ଅନେକ ସମୟରେ କୋଷ୍ଟକାଠିନ୍ୟ ଯୋଗୁ ନିଜେ ମଳକର୍ମକୁ ସଂପାଦନ କରିବା ସହଜ ହେଉନଥିବାରୁ ସେଥିରେ ସେମାନେ ଯେଉଁ ପ୍ରକାର ସାହାଯ୍ୟ କରୁଥିଲେ ତାହାକୁ ବିସ୍ତାର ରେ କହିବା ଆବଶ୍ୟକ ନୁହଁ ,ମାତ୍ର ମଳତ୍ୟାଗ ସମ୍ପନ୍ନ ହେବାରେ ସେମାନେ ରାଜାଙ୍କର ପଶ୍ଚାତଦେଶକୁ ସ୍ୱହସ୍ତରେ ପରିଷ୍କାର କରୁଥିଲେ। ସେମାନଙ୍କୁ ପ୍ରଥମେ “ଗ୍ରୁମ୍ ଅଫ୍ ଦି ଷ୍ଟୁଲ୍ ” ବୋଲି କୁହା ଯାଉଥିଲା। ପରେ ରାଜାଙ୍କର ନିତମ୍ବ ରକ୍ଷା କରୁଥିବା ଭଳି ଦୁଃସାହସିକ କାର୍ଯ୍ୟ କରୁଥିବା କାରଣରୁ ସେମାନଙ୍କୁ ସମ୍ମାନଜନକ “ନାଇଟହୁଡ” ପ୍ରଦାନ କରାଯାଇଥିଲା । ସେମାନେ ତାହାପରେ “ନାଇଟ୍ ଅଫ୍ ଦି ବଟସ୍” କୁହାଯାଉଥିଲା।
ଏବେ ଫରାସୀ ସମ୍ରାଟ ତ୍ରୟୋଦଶ ଲୁଇ ଓ ତାଙ୍କର ବିଦୂଷକ ତ୍ରିବୁଲେତ୍ ଙ୍କ ପାଖକୁ ଫେରିବା, ଯେତେବେଳେ ସେ ରାଜାଙ୍କର ନିତମ୍ବକୁ ସ୍ପର୍ଶ କରିବା ଅଭିଯୋଗରେ ମୃତ୍ୟୁଦଣ୍ଡ ଆଦେଶ ପାଇଛନ୍ତି ଆଉ ଏହା କାର୍ଯ୍ୟକାରୀ ହୋଇ ନାହିଁ ,ସେଇ ଭଳି ମଧ୍ୟବର୍ତ୍ତୀ ସମୟକୁ।
ମୃତ୍ୟୁଦଣ୍ଡର ଆଦେଶ ଦେଇ ସାରିବା ପରେ ରାଜା ତ୍ରୟୋଦଶ ଲୁଇଙ୍କ କ୍ରୋଧ ପ୍ରଶମିତ ହୁଏ ଆଉ ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ସେ ବିଦୂଷକ ତ୍ରିବୁଲେତ୍ ଙ୍କ ସାମ୍ନାରେ ଗୋଟିଏ ସର୍ତ୍ତ ରଖନ୍ତି । ସର୍ତ୍ତ ଟି ହେଲା , ରାଜାଙ୍କର ନିତମ୍ବରେ ମୃଦୁ ଆଘାତ କରିବା ଭଳି ଘଟଣା ର ତୁଳନାରେ ଯଦି ସେ ତାହାଠାରୁ ଅଧିକ କିଛି ଅଶୋଭନୀୟ କାମ କରିପାରନ୍ତି ତାହାହେଲେ ତାଙ୍କର ମୁଣ୍ଡ ରହିବ।
ସର୍ତ୍ତ ଟି ଶୁଣିବା ପରେ ସାମାନ୍ୟ ଡେରି ନକରି ତ୍ରିବୁଲେତ୍ କହିଥିଲେ,ମହାଭାଗ,ମୋର ଭୂଲ ହୋଇଯାଇଛି ,ମୁଁ ସେତେବେଳେ ଧରିନେଇଥିଲି ଯେ ସେ ରାଣୀ,ମାତ୍ର ଦେଖିବା ବେଳକୁ ସେଇଠି ଆପଣ ! ବଡ ଭୂଲ ହୋଇଗଲା ।
ନିଶ୍ଚିତ ଭାବରେ ରାଜାଙ୍କ ନିତମ୍ବ ରେ ମୃଦୁ ଆଘାତ କରିବା ତୁଳନାରେ ରାଣୀଙ୍କୁ ନେଇ ଏପରି ମନ୍ତବ୍ୟ ଅଧିକ ଅଶୋଭନୀୟ। ରାଜା ତ୍ରୟୋଦଶ ଲୁଇ ସନ୍ତୁଷ୍ଟ ହୋଇଥିଲେ ଆଉ ରୁଷ୍ଟ ବି ହୋଇଥିଲେ। ରାଣୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ରଖିଥିବା କାରଣରୁ ତ୍ରିବୁଲେତ୍ ଙ୍କ ମୃତ୍ୟୁଦଣ୍ଡ ତଥାପି ବଳବତ୍ତର ରହିଥିଲା।
ଆପଣ ମାନେ ଜାଣନ୍ତି ବିଦୂଷକମାନଙ୍କର ଏଇ ଭଳି ମୃତ୍ୟୁଦଣ୍ଡ ର ଆଦେଶ ଆଦୌ କାର୍ଯ୍ୟକାରୀ ହୁଏନାହିଁ ।
ଫାଶୀ ଖୁଣ୍ଟକୁ ତ୍ରିବୁଲେତ ଙ୍କୁ ନିଆଯାଉଥିବା ବେଳେ ସେଇଠି ଉପସ୍ଥିତ ଥିଲେ ଫରାସୀ ରାଜା ତ୍ରୟୋଦଶ ଲୁଇ। ସେ ନିହାତି ଶାନ୍ତ କଣ୍ଠରେ ବିଦୂଷକ ତ୍ରିବୁଲେତଙ୍କୁ ପଚାରିଲେ,ତମ ପାଇଁ ଶେଷ ପ୍ରଶ୍ନ ତ୍ରିବୁଲେତ୍,ତମେ କେଉଁ ଭଳି ମରିବାକୁ ଚାହଁ ?
ଆଉ ଏହାର ଉତ୍ତରରେ ସେ କହିଥିଲେ,ମୁଁ ବାର୍ଦ୍ଧକ୍ୟରେ ମୃତ୍ୟୁ ବରଣ କରିବାକୁ ଚାହେଁ।
ରାଜା ଏଥିରେ ସନ୍ତୁଷ୍ଟ ହୋଇ ତ୍ରିବୁଲେତ୍ ଙ୍କୁ ମୁକ୍ତ କରିଦେଇଥିଲେ ।
ବିଦୂଷକ ବି ଗୋଟିଏ ପ୍ରଜା।
ସେପରି କିଛି ଅଘଟଣ ନ ଘଟିଲେ ସେ ସଚରାଚର ବାର୍ଦ୍ଧକ୍ୟରେ ହିଁ ମୃତ୍ୟୁବରଣ କରିଥାଏ ।
Comments are closed.