କଟକ: ସହରର ଲିଙ୍କ ରୋଡ ସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ପୂରା ବ୍ୟାଙ୍କ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ବ୍ୟାଙ୍କ ପରିସର ସମେତ ଚାରିଆଡ଼େ କେବଳ କଳା ଧୂଆଁର ଆସ୍ତରଣ ଖେଳିଯାଇଛି।
ଖବର ପାଇବା କ୍ଷଣି ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ ଆୟତ୍ତ କରିବା ପାଇଁ ୫ଟି ଦମକଳ ଗାଡ଼ିକୁ ନିୟୋଜିତ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଲିଭାଇବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି।
ଏହି ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କର ବ୍ୟାପକ କ୍ଷତି ଘଟିଛି। ଭିତରେ ଥିବା ଆସବାବପତ୍ର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। କହିବାକୁ ଗଲେ ବ୍ୟାଙ୍କଟି ଏକ ପ୍ରକାର ନଷ୍ଟ ହୋଇଯାଇଛି।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁ ସମ୍ପୂର୍ଣ୍ଣ ଲିଭିବା ପରେ କ୍ଷୟକ୍ଷତିର ପ୍ରକୃତ ଆକଳନ କରାଯାଇପାରିବ।

Comments are closed.