Latest Odisha News

BREAKING NEWS

ମହଙ୍ଗା ମାଡ଼: ପୁଣି ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ଆଜି ଜୁନ ପହିଲାରେ ସାଧାରଣ ଜନତାଙ୍କୁ ପୁଣି ଥରେ ମହଙ୍ଗା ମାଡ଼ ଲାଗିଛି। ଗ୍ୟାସ କମ୍ପାନୀଗୁଡ଼ିକ ପକ୍ଷରୁ ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦର ଆଉ ଥରେ ବୃଦ୍ଧି କରାଯାଇଛି।

ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳରେ ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଦରରେ ୪୨ ଟଙ୍କା ବଢ଼ିଛି। ଏହି ନୂଆ ବୃଦ୍ଧି ପରେ ବର୍ତ୍ତମାନ ଏହାର ମୂଲ୍ୟ ୩୧୧୩ ଟଙ୍କା ୫୦ ପଇସାରେ ପହଞ୍ଚିଛି।

ସେହିପରି କୋଲକାତାରେ ଗ୍ୟାସ ଦାମରେ ୫୩ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଛି। ଫଳରେ ସେଠାରେ ବ୍ୟବସାୟିକ ସିଲିଣ୍ଡରର ନୂଆ ମୂଲ୍ୟ ୩୨୫୫ ଟଙ୍କା ୫୦ ପଇସା ହୋଇଯାଇଛି।

ଅନ୍ୟପକ୍ଷରେ ୫ କିଲୋଗ୍ରାମ ବିଶିଷ୍ଟ ଫ୍ରି ଟ୍ରେଡ ଏଲପିଜି ସିଲିଣ୍ଡର ଦର ମଧ୍ୟ ମହଙ୍ଗା ହୋଇଛି। ଏହି ଛୋଟ ସିଲିଣ୍ଡର ପିଛା ୧୧ ଟଙ୍କା ବଢ଼ିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏବେ ଏହାର ଦାମ ୮୨୧ ଟଙ୍କା ୫୦ ପଇସା ହେବ।

ଏହି ଦର ବୃଦ୍ଧି ଫଳରେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ଫଳରେ ବାହାରେ ଖାଇବା ଏବେ ସାଧାରଣ ଲୋକଙ୍କ ପାଇଁ ଅଧିକ ଖର୍ଚ୍ଚବହୁଳ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ରୋଷେଇ ଘରେ ବ୍ୟବହାର ହେଉଥିବା ୧୪ ଦଶମିକ ୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ସିଲିଣ୍ଡର ଦର ସମ୍ପୂର୍ଣ୍ଣ ସ୍ଥିର ରହିଛି। ଦରଦାମ ବୃଦ୍ଧିକୁ ନେଇ ସବୁବେଳେ ଚିନ୍ତାରେ ରହୁଥିବା ସାଧାରଣ ଗୃହିଣୀମାନଙ୍କୁ ଏହା ବେଶ ଆଶ୍ୱାସନା ଦେଇଛି। ପୂର୍ବ ମାସ ଭଳି ସମାନ ଦରରେ ଲୋକେ ନିଜର ଘରୋଇ ଗ୍ୟାସ କିଣିପାରିବେ।

ସୂଚନାଯୋଗ୍ୟ ଯେ ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକ ପ୍ରତି ମାସର ପହିଲାରେ ଏଲପିଜି ସିଲିଣ୍ଡର ମୂଲ୍ୟର ସମୀକ୍ଷା କରିଥାନ୍ତି। ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଏବଂ ବିନିମୟ ମୂଲ୍ୟକୁ ଭିତ୍ତି କରି ଏହି ଦାମ ନିର୍ଦ୍ଧାରଣ କରାଯାଏ। ସମାନ ପ୍ରକ୍ରିୟାରେ ଆଜି ବ୍ୟବସାୟିକ ଗ୍ୟାସ ମୂଲ୍ୟ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.