ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ସିରିଜ୍ ଶେଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିବାକୁ ଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତ ପାଇଁ ଭାରତୀୟ ସିଲେକ୍ଟରମାନେ ଖୁବ୍ଶୀଘ୍ର ସ୍କ୍ୱାଡ୍ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏଥର ଚୟନକର୍ତ୍ତାଙ୍କ ପାଇଁ ଏହି କାର୍ୟ୍ୟ ଆଦୌ ସହଜ ହେବନାହିଁ, କାରଣ ସେମାନଙ୍କୁ ଏକାସାଙ୍ଗରେ ୪ଟି ଭିନ୍ନ ଭିନ୍ନ ଭାରତୀୟ ଦଳ (ଟି୨୦, ଦିନିକିଆ, ଟେଷ୍ଟ ଏବଂ ଇଣ୍ଡିଆ-ଏ) ଚୟନ କରିବାକୁ ପଡ଼ିବ । ଏହି ଗସ୍ତ ଆସନ୍ତା ୨୨ ଅକ୍ଟୋବରରୁ ଟି୨୦ ସିରିଜ୍ ସହ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଅକ୍ଟୋବର ୫ ରେ ସିଲେକ୍ସନ୍ ବୈଠକ ହେବାର ଥିଲା, ମାତ୍ର ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣାଙ୍କ ଫିଟନେସ୍ ରିପୋର୍ଟ ଆସିନଥିବାରୁ ଏହାକୁ କିଛି ଦିନ ଘୁଞ୍ଚାଇ ଦିଆଯାଇଛି । ନ୍ୟୁଜିଲାଣ୍ଡରେ ଇଣ୍ଡିଆ-ଏ ସିରିଜ୍ ଅକ୍ଟୋବର ୨୪ ରୁ ଆରମ୍ଭ ହେଉଛି, ଯାହା ମୂଳ ଦଳର ସୀମିତ ଓଭର (ଟି୨୦ ଓ ଦିନିକିଆ) ସିରିଜ୍ ସହ ସମାନ୍ତରାଳ ଭାବେ ଚାଲିବ । ସିଲେକ୍ଟରଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପଖୁଆଇବା ପାଇଁ ଲାଲ୍ ବଲ୍ (ଟେଷ୍ଟ) କ୍ରିକେଟ୍ର ପ୍ରମୁଖ ଖେଳାଳିଙ୍କୁ ଅଧିକରୁ ଅଧିକ ଅଭ୍ୟାସ ସୁଯୋଗ ଦେବା ।
କେବଳ ଟେଷ୍ଟ କ୍ରିକେଟ୍ ଖେଳୁଥିବା ଋଷଭ ପନ୍ତ ନିଜର ପ୍ରସ୍ତୁତି ପାଇଁ ଅନ୍ତତଃ ଗୋଟିଏ ଇଣ୍ଡିଆ-ଏ ମ୍ୟାଚ୍ ଖେଳିବେ । ସେହିପରି କେ.ଏଲ୍. ରାହୁଲ, ଦେବଦତ୍ତ ପାଡିକଲ ଏବଂ ସାଇ ସୁଦର୍ଶନ ମଧ୍ୟ ଇଣ୍ଡିଆ-ଏ ଦଳର ପ୍ରଥମ ମ୍ୟାଚ୍ ଖେଳିବେ । ଏହାପରେ ରାହୁଲ ଅକ୍ଲପ୍ୟାଣ୍ଡରେ ମୂଳ ଦିନିକିଆ ଦଳ ସହ ଯୋଡ଼ିହେବେ । ୱେଲିଂଟନ୍ ଟେଷ୍ଟ ପୂର୍ବରୁ ଷ୍ଟାର୍ ବୋଲର ଜସପ୍ରୀତ ବୁମରାଙ୍କ ୱାର୍କଲୋଡ୍କୁ ଧୀରେ ଧୀରେ ବଢ଼ାଇବାକୁ ସିଲେକ୍ଟରମାନେ ଚାହୁଁଛନ୍ତି । ଇରାନୀ କପ୍ରେ ୮ଟି ୱିକେଟ୍ ନେଇ ପ୍ରଭାବିତ କରିଥିବା ମୁକେଶ କୁମାର ଇଣ୍ଡିଆ-ଏ ର ତିନୋଟିଯାକ ମ୍ୟାଚ୍ ଖେଳିବା ନିଶ୍ଚିତ ମନେହେଉଛି । ଆକାଶ ଦୀପ ମଧ୍ୟ ଟେଷ୍ଟ ପ୍ରସ୍ତୁତି ପାଇଁ ମ୍ୟାଚ୍ ଖେଳିବେ । ଦ୍ରୁତ ଗତି ଓ ଉନ୍ନତ ଫିଟନେସ୍ ବଳରେ ମୟଙ୍କ ଯାଦବ ଦିନିକିଆ ଦଳରେ ସ୍ଥାନ ପାଇପାରନ୍ତି। ଏହାଛଡ଼ା ରୁତୁରାଜ ଗାଏକୱାଡ, ନମନ ଧୀର ଏବଂ କୁମାର କୁଶାଗ୍ରଙ୍କୁ ମଧ୍ୟ ସେଟ୍ଅପ୍ରେ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।

