ଭୁବନେଶ୍ବର: ସାରା ରାଜ୍ୟରେ ଏବେ ପାରଦ ତଳ ମୁହାଁ ହୋଇଥିବା ବେଳେ, ଶୀତ ସାଙ୍ଗକୁ କୁହୁଡ଼ିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଲୋକେ ସକାଳୁ ଘରୁ ବାହାରି ପାରୁ ନାହାନ୍ତି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ତା ପାଖରେ ବସି ରହୁଛନ୍ତି ଲୋକେ । ତେବେ ଆଜି ପାଇଁ ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ ।
ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ଼ । ତେବେ ଆଗାମୀ ତିନି ଦିନ ମଧ୍ୟ କୁହୁଡ଼ି ରହିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି ହେଇଛି ।
ତେବେ ଜାନୁଆରୀ ପହିଲାରୁ ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ୱାନୁମାନ କରାଯାଇଛି। ଶନିବାର ରାଜ୍ୟରେ ଦିନ ତାପମାତ୍ରା ୨୩.୮ ଡିଗ୍ରୀ(ଚାନ୍ଦବାଲି ଓ କଟକ)ରୁ ୨୯.୪ ଡିଗ୍ରୀ ସେଲସିୟସ୍(ପାରଳାଖେମୁଣ୍ଡି) ମଧ୍ୟରେ ରହିଥିଲା ।
ସେହିପରି ରାତି ତାପମାତ୍ରା ୪.୮ ଡିଗ୍ରୀ(କୋରାପୁଟ)ରୁ ୧୬.୫ ଡିଗ୍ରୀ(ଗୋପାଳପୁର) ମଧ୍ୟରେ ରହିଥିଲା ।