ଭୁବନେଶ୍ୱର: ଅକ୍ଷୟ ମହାନ୍ତି – କେବଳ ଜଣେ ବ୍ୟକ୍ତିର ନାଁ ନୁହେଁ, ଏକ ଇତିହାସ । ଓଡ଼ିଆ ଗୀତ ଓ ସଙ୍ଗୀତର ଏକ ଜୀବନ୍ତ ଇତିହାସ । ‘ଯା’ରେ ଭାସି ଭାସି ଯା’’ଠାରୁ ‘କଳଙ୍କିତ ଏକ ନାୟକ’ ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସର ନାଁ ଅକ୍ଷୟ ମହାନ୍ତି । ସେହି ଇତିହାସ ଆଜି ମଧ୍ୟ ଜୀବିତ ଆମମାନଙ୍କ ଭିତରେ ତାଙ୍କ ସଙ୍ଗୀତ ମାଧ୍ୟମରେ । ଆଉ ତା’ର ପ୍ରମାଣ ନେଇକି ଆସୁଛି କୁହୁ ସିନେ ଫ୍ଲିକ୍ସ ଭଦ୍ର ମୋସନ ଷ୍ଟୂଡିଓ ମିଳିତ ଉଦ୍ୟମରେ ଏକ ନିଆରା ଫିଲ୍ମ ଯାହାର ଟାଇଟଲ ଘୋଷଣା ହୋଇଛି ।
ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଗିରିଶ ମହାନ୍ତି ଓ ତାଙ୍କ ଟିମ୍ ଥିଲା ବେଳେ କାହାଣୀ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା ଓ ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି । ତେବେ କାହିଁକି ଏହି ଫିଲ୍ମ ନିଆରା ତା ‘ ଉପରେ ଆଲୋକପାତ କରଛି ଫିଲ୍ମର ଟିମ୍ ।
ଆକାଶବାଣୀର ସୁଗମ ସଙ୍ଗୀତଠାରୁ ଓଡ଼ିଆ ସିନେମା ସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତ ଯାଏଁ ସବୁଠି ଖୋକା ଭାଇ ରାଜ୍ କରିଥିଲେ । ତାଙ୍କ ଶବ୍ଦରେ ଓ ସୁରରେ ଥିଲା ଖାଣ୍ଟି ଓଡ଼ିଆମୀ । ସମାଜର ସାଧାରଣ ଲୋକର କଥା କହୁଥିଲା ତାଙ୍କ ଗୀତ । ଅର୍ଥାତ ତାଙ୍କର ସମସ୍ତ ଗୀତରେ ରହିଥିଲା ଏକ କାହାଣୀ କେତେବେଳେ ପ୍ରେମ, କେତେବେଳେ ବିରହ ତ କେତେବେଳେ ଖୁସି । ସଙ୍ଗୀତରେ ଏମିତି ଯାଦୁ ଥିଲା ଓ ନିଆରାପଣ ଥିଲା ଯେ, ସେଥିପାଇଁ ଓଡ଼ିଶାର ବଦ୍ମାସ୍ ଟୋକାଙ୍କଠାରୁ ଘର କୋଣର ନୂଆବୋହୂ ପର୍ଯ୍ୟନ୍ତ ସମସ୍ତେ ଗୁଣୁଗୁଣଉ ଥିଲେ ତାଙ୍କ ଗୀତ । ଖୋକା ଭାଇ ଥିଲା ବେଳେ ଯେତିକି, ସେ ଗଲା ପରେ ତା’ଠୁ ବେଶୀ । ଆଉ ଆଜି ଆମ କର୍ମମୟ ଜୀବନରେ ତାଙ୍କର ସେହି ଗୀତ ଗୁଡିକ ଖାପ ଖାଉଛି ଓ ସେହି ସମ୍ପର୍କକୁ ନେଇ ତିଆରି ହେବ ଆମ ଫିଲ୍ମ”, କହିଛି ପ୍ରଯୋଜନା ସଂସ୍ଥା ।
ଏହି ଫିଲ୍ମଟି ଅକ୍ଷୟ ମହାନ୍ତିଙ୍କ ଜୀବନୀ ନୁହେଁ ବରଂ ତାଙ୍କ ସଙ୍ଗୀତରୁ ତିଆରି ଏକ ଆଧୁନିକ କାହାଣୀ ଯାହା ବର୍ତ୍ତମାନର ଯୁବପିଢିକୁ ଅକ୍ଷୟ ସଙ୍ଗୀତର ଏକ ଅପ୍ରତ୍ୟାଶିତ ଛୁଆଁ ଦେବ । ଏଥିସହ ପୁରୁଣା ପିଢୀର ମନରେ ଥିବା ଅକ୍ଷୟ ସଙ୍ଗୀତକୁ ଉଜାଗର କରିବ ନିଶ୍ଚୟ । ଏହି ଫିଲ୍ମଟିକୁ ଏକା ସାଙ୍ଗରେ ତିନିପୀଢି ଦେଖି ଉତ୍ସାହିତ ହେବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛନ୍ତି ।
Comments are closed.